Uttar Pradesh, Nov 01 (ANI): A Sadhu feeds Siberian migratory birds on the bank of river Ganga early in the morning in Prayagraj on Sunday. (ANI Photo)
ସୋନପୁର,୧୪।୧୦(ନି.ପ୍ର.):ଶୀତ ଆସିବା ପୂର୍ବରୁ ସୁବର୍ଣ୍ଣପୁର ଜିଲାରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଲାଣ। ଗୁରୁବାର ସୋନପୁର ସହର ଥନାପତିପଡାରେ ବିରଳ ପେରିଗ୍ରୀନ୍ ଫାଲ୍କନ ପକ୍ଷୀଙ୍କୁ ଠାବ କରାଯାଇଛି। ସୁଦୂର ଉତ୍ତର ଆମେରିକାରୁ ଏହି ପକ୍ଷୀ ଏଠାକୁ ଆସିଥିବା ଜଣାଯାଇଛି। ଏହି ପକ୍ଷୀ ସବୁଠୁ ଦ୍ରୁତ ବେଗରେ ଉଡି ପାରନ୍ତି। ଏହି ପକ୍ଷୀଙ୍କ ଆଗମନ ସୋନପୁରର ପ୍ରାକୃତିକ ଶୋଭାରାଜିକୁ ଦ୍ୱିଗୁଣିତ କରିଛି।
ସାଧାରଣତଃ ଶୀତଋତୁ ଆଗମନରେ ଚିରସ୍ରୋତା ମହାନଦୀ ଓ ତେଲ ନଦୀରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଉତ୍ତର ଆମେରିକା ଓ ସାଇବେରିଆରେ ଶୀତ ଋତୁରେ ବରଫ ପଡୁଥିବାରୁ ପକ୍ଷୀମାନେ ସ୍ବଚ୍ଛନ୍ଦରେ ରହିବାକୁ ଏଠାକୁ ଚାଲି ଆସୁଛନ୍ତି। ପୂର୍ବରୁ ମହାନଦୀର ଜଳରାଶିରେ ବିରଳ ପକ୍ଷୀ କମନ ମରଗାନସର(ବୈଜ୍ଞାନିକ ନାମ ମରଗସ ମରଗାନସର) ଠାବ ହୋଇଥିଲା। ଏହି ପକ୍ଷୀ ଉତ୍ତର ଆମେରିକା ଓ ପୂର୍ବ ୟୁରୋପିଆନରେ ପ୍ରାୟତଃ ଦେଖାଯାଆନ୍ତି। ଓଡିଶାର କେବଳ ସୋନପୁରରେ ହିଁ ଗତ କିଛି ବର୍ଷ ହେବ ଶୀତଦିନରେ କମନ ମରଗାନସର ଠାବ ହେଉଛନ୍ତି। ସେହିପରି ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ରାମେଶ୍ୱର ତଳି ଅଞ୍ଚଳ ନଦୀ ବାଲିରେ ଗତବର୍ଷ ବହୁ ସଂଖ୍ୟକ ବ୍ଲାକ ବେଲିଡ୍ ଟର୍ନ ନାମକ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥିଲା। ତେବେ ପେରିଗ୍ରୀନ୍ ଫାଲ୍କନ ପକ୍ଷୀ ଏଥର ନୂଆ କରି ଆସିଥିବାରୁ ପକ୍ଷୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ପ୍ରଜାତିର ପକ୍ଷୀ ବଡ ବଡ ବିଦ୍ୟୁତ୍ ଖୁଣ୍ଟ ଓ ମୋବାଇଲ ଟାଓ୍ବାର ଉପରେ ବସି ରହି ଶୁଆ, ପାରା ଇତ୍ୟାଦି ପକ୍ଷୀଙ୍କୁ ଶିକାର କରି ଖାଆନ୍ତି ବୋଲି ପକ୍ଷୀପ୍ରେମୀ ତଥା ଯୁବ ଫଟୋଗ୍ରାଫର ପିନାକୀ ଜ୍ୟୋତିରାଦିତ୍ୟ ପଣ୍ଡା ଓ ନରେନ ମଲ୍ଲିକ ପ୍ରକାଶ କରିଛନ୍ତି। ଜିଲାରେ ଅନୁକୂଳ ପରିବେଶ ଓ ଶିକାରୀଙ୍କ ସଂଖ୍ୟା ହ୍ରାସ ପାଇବା ଫଳରେ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ଶତାଧିକ ପକ୍ଷୀ ଏଠାକୁ ପ୍ରତିବର୍ଷ ଛୁଟି ଆସୁଛନ୍ତି। ପକ୍ଷୀଙ୍କ କାକଳିରେ ମହାନଦୀ ଓ ତେଲନଦୀର ପଠା ମୁଖରିତ ହେବା ସହ ଏହି ଶୋଭା ଦେଖିବାକୁ ପକ୍ଷୀପ୍ରେମୀ, ଫଟୋଗ୍ରାଫର ଓ ପର୍ଯ୍ୟଟକଙ୍କ ଭିଡ ଜମୁଛି। ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେଲା ୟୁରୋପ ମହାଦେଶରୁ ରୁଡିସଲଡକ, ପୂର୍ବ ମହାଦେଶରୁ ରୋଜିଷ୍ଟୋଲିଙ୍ଗ, ଭଡିଟର ଫ୍ଲାଏକେଚର, ରେଡକ୍ରେଷ୍ଟେଟ୍, ପୋଚାର୍ଡ, ଲିଟିଲଗ୍ରେବ, ବ୍ଲାକ ବେଲିଡ୍ ଟର୍ନ, ପେଲିକାନପେରି ଭଳି ପ୍ରମୁଖ ବିରଳ ପକ୍ଷୀ ଏଠାକୁ ଶୀତଦିନରେ ଆସି ମହାନଦୀର ଶୋଭା ବଢାଇଥାନ୍ତି ା