Oil Refinery, Chemical & Petrochemical plant abstract at night.
ନୂଆଦିଲ୍ଲୀ,୯-୮: ଦେଶରେ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପ୍ରଭାବିତ ହୋଇଛି। ନିବେଶ ଧାରାକୁ ପ୍ରୋତ୍ସାହିତ କରିଲେ ଏହା ଔଦ୍ୟୋଗିକ ଅଭିବୃଦ୍ଧି ସହ ଅର୍ଥନୈତିକ ଧାରାକୁ ତ୍ୱରାନ୍ବିତ କରିବ ବୋଲି ଦେଶର ଶିଳ୍ପ ଜଗତ ଆଶା ପ୍ରକଟ କରିଛି। ବିକାଶ ଧାରାକୁ ପୁନର୍ଜୀବିତ କରିବା ଲାଗି ସରକାର ୧ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଆଣନ୍ତୁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭେଟି ଶିଳ୍ପ ଜଗତ ଏଭଳି ଦାବି କରିଛି। ଅଭିବୃଦ୍ଧିକୁ ଫେରାଇ ଆଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ଶିଳ୍ପ ଜଗତ ପକ୍ଷରୁ ସୂଚନା ରହିଛି। କେଉଁ ଭଳି ପଦକ୍ଷେପ ନେଲେ ଅଭିବୃଦ୍ଧି ଧାରା ଫେରିବ ସେ ଉପରେ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ଆସୋଚାମ ସଭାପତି ବି.କେ. ଗୋଏଙ୍କା କହିଛନ୍ତି। ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ନଜରରେ ରଖି ସରକାର ତ୍ୱରିତ ପଦକ୍ଷେପ ନେବେ ବୋଲି ଆଶା ରହିଥିବା ଜେଏସ୍ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି। ଅର୍ଥମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପାଇଛୁ। ଅଟୋମୋବାଇଲ, ଏନ୍ବିଏଫ୍ସି ଏବଂ ଷ୍ଟିଲ ଭଳି ଅନ୍ୟ କ୍ଷେତ୍ରଗୁଡିକ ଲାଗି ପଦକ୍ଷେପ ଗ୍ରହଣ କରାଯିବା ନେଇ ବେଶ୍ ଆଶାବାଦୀ ଥିବା ଜିନ୍ଦଲ କହିଛନ୍ତି।
ବ୍ୟାଙ୍କଗୁଡିକ ଶିଳ୍ପ କ୍ଷେତ୍ରକୁ ଠିକ ଭାବେ ଋଣ ପ୍ରଦାନ କରୁ ନ ଥିବା ପ୍ରସଙ୍ଗ ବୈଠକରେ ସ୍ଥାନିତ ହୋଇଥିଲା। ବ୍ୟାଙ୍କଗୁଡିକ ଋଣ ପ୍ରଦାନ ଲାଗି ଇଚ୍ଛା ପ୍ରକଟ କରୁ ନ ଥିବା ପିରାମଲ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଅଜୟ ପିରାମଲ କହିଛନ୍ତି। ସେହିଭଳି ଏନ୍ବିଏଫ୍ସି କ୍ଷେତ୍ର ପ୍ରଭାବିତ ହେବା ଯୋଗୁ ଏହା ଏମ୍ଏସ୍ଏମ୍ଇ, ଗୃହ ଋଣ, ଅଟୋ ଭଳି କ୍ଷେତ୍ରକୁ ପ୍ରଭାବିତ କରିଥିବା ସେ କହିଛନ୍ତି। ସେହିଭଳି ଅଟୋ ଉଦ୍ୟୋଗର ମାନ୍ଦାବସ୍ଥା ବର୍ତ୍ତମାନ ଇସ୍ପାତ ଶିଳ୍ପ ଉପରେ ପ୍ରଭାବ ପକାଉଥିବାରୁ ଶିଳ୍ପ ଜଗତକୁ ଏକ ପୁନରୁଦ୍ଧାର ପ୍ୟାକେଜ ଲୋଡାଥିବା ଟାଟା ଷ୍ଟିଲ ଏମ୍ଡି ତଥା ସିଆଇଆଇ ଉପସଭାପତି ଟି.ଭି. ନରେନ୍ଦ୍ରନ କହିଛନ୍ତି। ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଠିକ୍ ଭାବେ ରେପୋ ହାର ହ୍ରାସର ଫାଇଦା ଦେଉନାହାନ୍ତି। ଏହା ଚିନ୍ତାର ବିଷୟ ବୋଲି ଫିକି ସଭାପତି ସନ୍ଦିପ ସୋମାନି କହିଛନ୍ତି। ଏହାକୁ ବ୍ୟାଙ୍କଗୁଡିକ ଧ୍ୟାନ ଦେଲେ ଏହା ଶିଳ୍ପ ଲାଗି ଲାଭକାରୀ ସାବ୍ୟସ୍ତ ହେବ ବୋଲି ସେ ମତ ରଖିଛନ୍ତି। ଅର୍ଥନୀତିର ଅନ୍ୟ ଦିଗ ଉପରେ ବୈଠକରେ ଆଲୋଚନା ହୋଇଥିଲା।