ଶରୀରକୁ ସୁସ୍ଥ, ମନକୁ ଶାନ୍ତ ରଖେ ଯୋଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଅଭ୍ୟାସ କରିଛନ୍ତି। ଯୋଗ ଯେ ମଣିଷର ଶରୀରକୁ ସୁସ୍ଥ ରଖିବା ସହ ମନକୁ ଶାନ୍ତ ରଖିଥାଏ ଏହା କହିଛନ୍ତି ରାଷ୍ଟ୍ରପତି। ଆଧୁନିକ ଯୁଗରେ ବି ଲୋକେ ଯୋଗକୁ ଆପଣେଇ ପାରିଛନ୍ତି ଯାହା ଖୁବ୍‌ ଖୁସିର କଥା। ଅନ୍ୟପଟେ ବିଶ୍ୱରେ କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାସହ ଲଢିବାକୁ ଯୋଗ ବି ସହାୟକ ହେବ ବୋଲି ସେ କହିଛନ୍ତି। ଯୋଗ ହେଉଛି ବିଶ୍ୱକୁ ଭାରତର ଏକ ବଡ ଉପହାର। ଟୁଇଟ୍‌ କରି ରାଷ୍ଟ୍ରପତି କୋବିନ୍ଦ ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ସେପ୍ଟେମ୍ବର ୨୭ରେ ୟୁନାଇଟେଡ ନେଶନ୍ସ ଜେନରାଲ ଆସେମ୍ଲି(ୟୁଏନ୍‌ଜିଏ)ରେ ଅଭିଭାଷଣ ଦେବା ସମୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ।