Odia television singer Sourav Nayak being felicitated with special jury award during 2nd Odisha State Television Award for vocals.
ଓଡ଼ିଆ ଭଜନ ହେଉ କି ଆଧୁନିକ ସଙ୍ଗୀତ, ନିଜର ଯାଦୁକରି କଣ୍ଠ ସାହାଯ୍ୟରେ ଯିଏ ଅଗଣିତ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଜାଗା ସୃଷ୍ଟି କରି ପାରିଛନ୍ତି ସିଏ ହେଲେ ଖ୍ୟାତନାମା କଣ୍ଠଶିଳ୍ପୀ ତୃପ୍ତି ଦାସ। ତୃପ୍ତିଙ୍କ ଅନୁଭୂତିରୁ କିଛି..
ପ୍ରତ୍ୟେକ କଳାକାର ଜୀବନରେ ଅନେକ ସ୍ମୃତି ସାଉଁଟିଥାଆନ୍ତି। ଭଲ ହେଉ କି ମନ୍ଦ, କଳାକାର ସ୍ମୃତିକୁ ସଜେଇ ରଖିବା କିଛି ବଡ଼କଥା ନୁହେଁ। ସଙ୍ଗୀତ କ୍ଷେତ୍ରରେ ମୁଁ ବହୁ ବଡବଡ ସଙ୍ଗୀତ ସାଧକଙ୍କ ସହିତ କାମ କରିଛି। ଅକ୍ଷୟ ମହାନ୍ତି ତଥା ଖୋକାଭାଇଙ୍କ ସହ କାମ କରିବା ସମୟରେ ଅନେକ କଥା ଶିଖିବାକୁ ମିଳିଛି। ଖୋକାଭାଇ ସ୍ବତନ୍ତ୍ର। ଗୀତ କିପରି ଶ୍ରୋତାଙ୍କୁ ଭଲ ଲାଗିବ ସେ ପ୍ରଥମେ ଜାଣିପାରନ୍ତି। ଥରେ ଏକ ଷ୍ଟୁଡିଓରେ ଗୀତ ରେକର୍ଡିଂ ପାଇଁ ଯାଇଥାଏ। ଗୀତଟିର ଶୀର୍ଷକ କ’ଣ ଥିଲା ମନେପଡ଼ୁନି। ସେହି ଗୀତ ରେକର୍ଡିଂ ସମୟର ଅନୁଭୂତି। ଗୀତ ଗାଇବା ବେଳେ ଏହାର ଗୋଟିଏ ଶବ୍ଦ ମୁଁ ଆଦୌ ଭଲଭାବେ ଉଚ୍ଚାରଣ କରି ପାରୁ ନ ଥିଲି। ବାରମ୍ବାର ଭୁଲ ହେଲା। ଗୀତ ଭଲରେ ଗାଇଲେ ମଧ୍ୟ ସେହି ଶବ୍ଦ ପାଖରେ ମୁଁ ଅଟକି ଯାଉଥାଏ। ହଠାତ୍ ଖୋକାଭାଇ ମୋ ଉପରେ ରାଗିଗଲେ। କିଛି ସମୟ ପାଇଁ ମୋତେ ଗାଳି ଦେଇଥିଲେ। ଡରରେ ତାଙ୍କୁ ଚାହିଁବାକୁ ମୋର ସାହସ ହେଉ ନ ଥାଏ। ମୁଁ ସେହି ଶବ୍ଦଟିକୁ ସହଜରେ ଉଚ୍ଚାରଣ କରିପାରିବି ନାହିଁ ବୋଲି ସେ ଜାଣି ସାରିଥିଲେ। ଏଣୁ ଖୋକାଭାଇ ଶବ୍ଦକୁ ବଦଳାଇ ଦେଇଥିଲେ। ସେ ଏମିତି ଏକ ଶବ୍ଦ ଲେଖିଥିଲେ ଯାହା ମୁଁ ସହଜରେ ଗାଇ ପାରିଥିଲି। ଥରେ ନୁହେଁ, ବହୁବାର ଏମିତି ହୋଇଛି। ମୁଁ ଅନେକ ଶବ୍ଦରେ ଛନ୍ଦି ହୋଇଛି ଆଉ ସେ ମୋ ସୁବିଧା ପାଇଁ ଗୀତରେ ଶବ୍ଦ ବଦଳାଇ ଦେଇଛନ୍ତି। ଖୋକାଭାଇଙ୍କ ସହ କାମ କରିବାର ଅନୁଭୂତି ସତରେ ଅଭୁଲା।