Categories: ଅନୁଗୋଳ

ଲେଦ୍‌ ଫିଟିଂ ସହ କଳାରେ ମନ

ଅନୁଗୋଳ ବ୍ଲକ ଚନ୍ଦ୍ରବାହାଳ ଗ୍ରାମର ଧ୍ରୁବଚରଣ ଦାସଙ୍କ ପୁଅ କ୍ଷୀରୋଦ ଦାସ(୩୦) ପେଶାରେ ଜଣେ ଲେଦ୍‌ ଫିଟର। ହେଲେ ତାଙ୍କ ନିଶା କଳା ପରିବେଷଣରେ। ବାପା, ମାଆ, ସ୍ତ୍ରୀ, ଝିଅ ଓ ପୁଅଙ୍କୁ ନେଇ ସଂସାର ସମ୍ଭାଳୁଥିବା କ୍ଷୀରୋଦ ଯୁକ୍ତ ୩ ପର୍ଯ୍ୟନ୍ତ ପଢ଼ିଛନ୍ତି। କାଣ୍ଡସର ଗ୍ରାମରେ ତାଙ୍କର ୭ଟି ଲେଦ ମେଶିନ ରହିଛି। ଜେସିବି ସହ ବିଭିନ୍ନ ହେଭି ଭେଇକିଲ ଆଦିର ମରାମତି ଓ ଲେଦ କାର୍ଯ୍ୟ ସେ କରିଥାନ୍ତି। କ୍ଷୀରୋଦ ଜଣେ ଭଲ ଲେଦ ମିସ୍ତ୍ରି ଭାବେ ଯେତିକି ଜଣାଶୁଣା ଜଣେ ସଂକୀର୍ତ୍ତନ ଗୁରୁ ଓ ଦଣ୍ଡ କଳାକାର ଭାବେ ସେତିକି ପରିଚିତ। ଦୈନିକ ସକାଳେ ସେ ଦୋକାନରେ ଠିକଣା ସମୟରେ ପହଞ୍ଚନ୍ତି। ମରାମତି ପାଇଁ ଆସିଥିବା ଜେସିବି, କ୍ରେନ ଆଦିର ଲେଦ କାର୍ଯ୍ୟ କରି ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରିଥାନ୍ତି। ପିଲବେଳୁ ସଂକୀର୍ତ୍ତନରେ ତାଙ୍କର ଆଗ୍ରହ ଥିବାରୁ ଭାଗବତ ଟୁଙ୍ଗୀରେ ନାମ ସଂକୀର୍ତ୍ତନରେ ଯୋଗଦେଉଥିଲେ। ପରେ ନଦିଆ କୀର୍ତ୍ତନ ଆରମ୍ଭ କରିଥିଲେ। ଜଣେ ସଂକୀର୍ତ୍ତନ ଗୁରୁ ଭାବେ ସେ ପରିଚିତ ହେବାପରେ ତାଙ୍କ ସଂକୀର୍ତ୍ତନ ମଣ୍ଡଳୀ ତାଳଚେର, ଆଠମଲ୍ଲିକ, ଅନୁଗୋଳ, ପାଲଲହଡ଼ା ଆଦି ବିଭିନ୍ନ ସ୍ଥାନକୁ ଯାଇ ସୁନାମ ଅର୍ଜନ କରିପାରିଛି। ସେହିପରି ଗୁରୁ ରମେଶ ଚନ୍ଦ୍ର ଗଡ଼ନାୟକ, ରାଧା ଧୀର ଓ ବାମଦେବ ସେଠଙ୍କ ପ୍ରେରଣାରେ ଦଣ୍ଡନୃତ୍ୟ ଶିକ୍ଷା କରି କଳା ପରିବେଷଣ କରୁଛନ୍ତି। କୁଲାଡ଼ ଦଣ୍ଡ ଅନୁଷ୍ଠାନରେ ଯୋଗୀ, ନାବିକ, ବାଇଧନ ଭୂମିକାରେ ଅଭିନୟ କରି ବେଶ୍‌ ପ୍ରଶଂସା ପାଇଥିବା କ୍ଷୀରୋଦ କହିଛନ୍ତି।