Arrested man in handcuffs with hands behind back
ମାଲକାନଗିରି,୨୬।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦର ଥାନାର ୩ ଜଣ ପୋଲିସ ଅଧିକାରୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ କଟକ ଦୁର୍ନୀତି ନିବାରଣ ନିର୍ଦ୍ଦେଶକ କାର୍ଯ୍ୟାଳୟର ପଦାଧିକାରୀମାନେ ଲାଞ୍ଚ ନେବା ମାମଲାରେ ଗିରଫ କରିଛନ୍ତି। ସେମାନେ ହେଲେ ସବ୍ ଇନ୍ସସ୍ପେକ୍ଟର କୁନାଲ କୁମାର, ମାନସ ସ୍ବାଇଁ, ଆଇଆଇସି ରଞ୍ଜନ କୁମାର ସାହୁ।
ପ୍ରକାଶ ଯେ, ଗତ କିଛିଦିନ ପୂର୍ବରୁ ମାଲକାନଗିରି ସଦର ମହକୁମା ଏକ ଘରୋଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଜାଲ ସାର୍ଟିଫିକେଟ ଦେଇଥିବା ଘଟଣାରେ ମାମଲା ଦାଏର ହୋଇଥିଲା। ସମ୍ପୃକ୍ତ ମାମଲାର ରଫାଦଫା ପାଇଁ ମାଲକାନଗିରି ପୋଲିସ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ନିର୍ଦ୍ଦେଶକ ପାଣିଗ୍ରାହୀଙ୍କ ନେତୃତ୍ୱରେ କଟକ ଦୁର୍ନୀତି ନିବାରଣ ବିଭାଗର ୬ ଡିଏସ୍ପି, ୧୦ ଇନ୍ସସ୍ପେକ୍ଟର, ୪ ସବ୍ ଇନ୍ସସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ପୂର୍ବ ଯୋଜନାନୁଯାୟୀ ଥାନାର ସବ୍ ଇନ୍ସସ୍ପେକ୍ଟର କୁନାଲ କୁମାର ଏବଂ ମାନସ ସ୍ବାଇଁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଅଧିକାରୀମାନେ ସେମାନଙ୍କୁ କାବୁ କରିଥିଲେ। ଏଥିସହ ଆଇଆଇସି. ରଞ୍ଜନ କୁମାର ସାହୁଙ୍କୁ ମଧ୍ୟ ଏହି ମାମଲାରେ ଥାନାରୁ ନେଇ ପଚରା ଉଚୁରା କଲାପରେ ରାତିରେ ଜୟପୁର ନେଇ ଯାଇଥିଲେ। ତେବେ ଶୁକ୍ରବାର ତିନିଜଣଙ୍କୁ ଗିରଫ କରାଯାଇ କଟକ ଦୁର୍ନୀତି ନିବାରଣ ସେଲ୍ରେ କେସ୍ ନଂ .୯/୧୯ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଦୁର୍ନୀତି ନିବାରଣ ବିଭାଗ ଇନ୍ସସ୍ପେକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।