Close up of male hands in bracelets behind back
କଟକ ଅଫିସ/ନିଶ୍ଚିନ୍ତକୋଇଲି (ସ୍ବ.ପ୍ର.), ୨୪।୯: ଲାଞ୍ଚ ନେବାବେଳେ ନିଶ୍ଚିନ୍ତକୋଇଲି ତହସିଲ ଅଧୀନ ଜିଗ୍ନୀପୁର ରାଜସ୍ବ ନିରୀକ୍ଷକ(ଆର୍ଆଇ) ଅଚ୍ୟୁତାନନ୍ଦ ସେଠୀ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। କଟକ ଭିଜିଲାନ୍ସ ସେଲ୍ ଶାଖା ଆର୍ଆଇ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ତହସିଲ୍ରେ ଜିଗ୍ନୀପୁର ଗ୍ରାମର କୈଳାସ ଚନ୍ଦ୍ର ସ୍ବାଇଁଙ୍କ ୩ଟି ମ୍ୟୁଟେଶନ ମାମଲା ରହିଛି। ଏହାର ତଦନ୍ତ ପାଇଁ ତହସିଲ ପକ୍ଷରୁ ଜିଗ୍ନୀପୁର ଆର୍ଆଇ ସେଠୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ରିପୋର୍ଟ ଦେବା ପାଇଁ ସେଠୀ ୧୫ ହଜାର ଟଙ୍କା କୈଳାସଙ୍କଠାରୁ ଦାବି କରିଥିଲେ। ଏ ନେଇ କୈଳାସ କଟକ ଭିଜିଲାନ୍ସ ସେଲ୍ ଶାଖାରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ସୋମବାର କୈଳାସ କେମିକାଲ ମିଶା ୧୫ ହଜାର ଟଙ୍କା ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ସେଠୀଙ୍କୁ କାବୁ କରିଥିଲେ। ଏହାପରେ ସାଲେପୁର ଥାନା ଅଧୀନ ହୀରାପୁର ଗ୍ରାମରେ ଥିବା ସେଠୀଙ୍କ ବାସଭବନରେ ଭିଜିଲାନ୍ସ ଯାଞ୍ଚ କରିଥିବା ଜଣାପଡିଛି।