LONDON, ENGLAND - JULY 24: Tim Murtagh of Ireland salutes the crowd as he leaves the field after taking five wickets during day one of the Specsavers Test Match between England and Ireland at Lord's Cricket Ground on July 24, 2019 in London, England. (Photo by Gareth Copley/Getty Images)
ଲଣ୍ଡନ,୨୫।୭(ଏଏଫ୍ପି)- ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ମାତ୍ର ୮୫ ରନକରି ଅଲଆଉଟ୍ ହୋଇଛି। ୧୩୫ ବର୍ଷରେ ଇଂଲଣ୍ଡ ପ୍ରଥମ ଦିନର ଲଞ୍ଚ୍ ପୂର୍ବରୁ ଅଲଆଉଟ ହୋଇ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଆୟର୍ଲାଣ୍ଡ ପ୍ରଥମ ଦିନରେ ୫୮.୨ ଓଭରରେ ୨୦୭ ରନ କରି ଅଲଆଉଟ୍ ହୋଇଛି ଓ ଏହାପରେ ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି। ଏଥିସହ ଆୟର୍ଲାଣ୍ଡ ୧୨୨ ରନର ଅଗ୍ରଣୀ ହାସଲ କରିଛି। ଆୟର୍ଲାଣ୍ଡ ତରଫରୁ ଆଣ୍ଡ୍ର୍ୟୁ ବାଲବିର୍ଣ୍ଣି ସର୍ବାଧିକ ୫୫, ପଲ ଷ୍ଟିର୍ଲିଂ ୩୬, ଅଧିନାୟକ ଓ୍ବିଲିୟମ ପୋର୍ଟରଫିଲ୍ଡ ୧୪, ଜେମ୍ସ ମ୍ୟାକୋଲମ ୧୯, ଟିମ୍ ମୁର୍ତ୍ତାଘ ୧୬, ଆଣ୍ଡି ମ୍ୟାକ୍ବ୍ରାଏନ ୧୧ ରନକରି ଆଉଟ ହୋଇଥିବାବେଳେ କେଭିନ ଓ’ବ୍ରାଏନ ୨୮ରନ କରି ଅପରାଜିତ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ, କ୍ରିସ ଓ୍ବକ୍ସ ଓ ସାମ କୁରାନ ୩ଟି ଲେଖାଏ, ମୋଇନ ଅଲି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଇଂଲଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଆୟର୍ଲାଣ୍ଡ ଦ୍ରୁତ ବୋଲର ଟିମ୍ ମୁର୍ତ୍ତାଘ ଦମ୍ଦାର ବୋଲିଂ କରି ଇଂଲଣ୍ଡ ବିପର୍ଯ୍ୟୟର ମୁଖ୍ୟ କାରଣ ସାଜିଥିଲେ। ୯ ଓଭର ବୋଲିଂ କରି ୨ଟି ମେଡେନ ନେବା ସହ ମାତ୍ର ୧୩ରନ୍ ବ୍ୟୟ କରି ସେ ୫ ଉଇକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ୮ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ। ଦଳ ତରଫରୁ ଜୋ ଡେନଲି ୨୩, ସାମ କୁରାନ ୧୮ ଓ ଓଲି ଷ୍ଟୋନ ୧୯ ରନ କରି ଆଉଟ ହୋଇଥିଲେ। ଜନ୍ନି ବେୟାରଷ୍ଟୋ, ମୋଇନ ଅଲି ଓ କ୍ରିସ୍ ଓ୍ବକ୍ସ ଖାତା ଖୋଲିପାରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋରି ବନର୍ସ ୬, ଜାସନ ରୟ ୫, ଅଧିନାୟକ ଜୋ ରୁଟ ୨, ଷ୍ଟୁଆର୍ଟ ବ୍ରଡ ୩ ରନ କରି ଆଉଟ ହୋଇଥିବା ବେଳେ ଜ୍ୟାକ୍ ଲିଚ୍ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ୩୭ ବର୍ଷୀୟ ମୁର୍ତ୍ତାଘ ପ୍ରଥମ ଆୟର୍ଲାଣ୍ଡ ବୋଲର ଭାବେ ଗୋଟିଏ ଟେଷ୍ଟ ଇନିଂସରେ ୫ ଉଇକେଟ ଅକ୍ତିଆର କରି ବିରଳ ସଫଳତା ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାର୍କ ଆଡେର ୩, ବୋଡି ରନ୍କିନ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଉଲ୍ଲେଖଥାଉ କି, ଇଂଲଣ୍ଡ ଗତ ୩ ବର୍ଷ ମଧ୍ୟରେ ଗୋଟିଏ ସେସନରେ ଇଂଲଣ୍ଡ ତୃତୀୟଥର ପାଇଁ ୧୦ଟି ଯାକ ଉଇକେଟ ହରାଇ ଅଲ୍ଆଉଟ ହୋଇଛି। ଏହାପୂର୍ବରୁ ୧୯୯୭ରେ ଇଂଲଣ୍ଡ ଲଡର୍ସରେ ଅଷ୍ଟ୍ରେଲିଆ ବିପକ୍ଷରେ ୭୭ ରନ କରି ଅଲଆଉଟ ହୋଇଥିଲା। ଗତ ଜାନୁୟାରୀରେ ବାର୍ବାଡୋସ୍ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ମଧ୍ୟ ଇଂଲଣ୍ଡ ୭୭ ରନ କରି ଅଲଆଉଟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ୮୫ ଅଲ୍ଆଉଟ୍
(ଡେନଲି- ୨୩, ଷ୍ଟୋନ- ୧୯, କୁରାନ- ୧୮, ମୁର୍ତ୍ତାଘ- ୫/୧୩, ଆଡେର- ୩/୩୨, ରାନକିନ- ୨/୫)।
ଆୟର୍ଲାଣ୍ଡ ପ୍ରଥମ ଇନିଂସରେ ୫୮.୨ ଓଭରରେ ୨୦୭ ଅଲଆଉଟ୍
(ବାଲବିର୍ଣ୍ଣି- ୫୫, ଷ୍ଟିର୍ଲିଂ- ୩୬, ଓ’ବ୍ରାଏନ- ୨୮*, ବ୍ରଡ- ୩/୬୦, ଷ୍ଟୋନ- ୩/୨୯, କୁରାନ-୩/୨୮)।