Categories: ଅନୁଗୋଳ

ଲଙ୍ଗୁଳିଆବେଡ଼ା ଗ୍ରାମବାସୀଙ୍କ ଖବରଦାତା ସମ୍ମିଳନୀ : ଦାବି ପୂରଣ ନ ହେଲେ ଆନ୍ଦୋଳନ

ବଅଁରପାଳ, ୬।୬ (ଡି.ଏନ୍‌.ଏ.)- ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମ ପାଖରେ ହେଉଥିବା ଆଲୁମିନିୟମ ପାର୍କ ପାଇଁ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଛି। ଲଙ୍ଗୁଳିଆବେଡାର ୧୮ ଏକର ଗୋଚର ଅଧିଗ୍ରହଣ କରାଯାଇଥିବାରୁ ପ୍ରତି ବଦଳରେ ଗ୍ରାମକୁ ଅନ୍ୟ ଜମି ହସ୍ତାନ୍ତର ପାଇଁ ଗ୍ରାମବାସୀ ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି। କିନ୍ତୁ ଏଯାଏ ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ଗ୍ରାମବାସୀ ବଅଁରପାଳ ଜଗନ୍ନାଥ ମନ୍ଦିର ଠାରେ ଏକ ଖବରଦାତା ସମ୍ମିଳନୀ କରି ଇଡ୍‌କୋକୁ ଚେତାବନୀ ଦେଇଛନ୍ତି। ଯଦି ତୁରନ୍ତ ବଦଳ ଜମି ହସ୍ତାନ୍ତର କରା ନ ଯାଏ ତା’ହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଗ୍ରାମ ସଭାପତି ଅକ୍ଷୟ କୁମାର ବିଶୋଇଙ୍କ ସଭାପତିତ୍ୱରେ କମିଟି ସଦସ୍ୟମାନେ ଉପସ୍ଥିତ ରହି ଇଡ୍‌କୋ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଆଲୁମିନିୟମ ପାର୍କ ପାଇଁ ଇଡ୍‌କୋ ଅଧିଗ୍ରହଣ କରିଥିବା ଗୋଚର ଜମିକୁ ଗ୍ରାମବାସୀ ପୂର୍ବ ପୁରୁଷ ଅମଳରୁ ଗୋ ଚାରଣ, ଖେଳ ପଡ଼ିଆ ଆଦି ଭାବେ ବ୍ୟବହାର କରିଆସୁଥିଲେ। ତେଣୁ ଜମି ବଦଳରେ ଜମି ସେମାନେ ଦାବି କରୁଛନ୍ତି। କିନ୍ତୁ ଇଡ୍‌କୋ ପକ୍ଷରୁ ବଦଳ ଜମି ଦିଆ ନ ଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହାକୁ ବିରୋଧ ପରେ କାର୍ଯ୍ୟ ବନ୍ଦ ରହିଥିଲା। ଇଡ୍‌କୋ ବିରୋଧରେ ଗ୍ରାମବାସୀ ବହୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଇଡ୍‌କୋ ପ୍ରତିନିଧିଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ବଦଳ ଜମି ଫେରସ୍ତ ନ ହେବା ଯାଏ ଗ୍ରାମ ସୀମା ମଧ୍ୟରେ ପାର୍କ କାର୍ଯ୍ୟ ହେବ ନାହିଁ ବୋଲି ସେତେବେଳେ ଇଡ୍‌କୋ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶ୍ମଶାନ ଘାଟ, ଖେଳ ପଡ଼ିଆ ଓ ଗୋଚର ଜମି ଭାବେ ବ୍ୟବହାର କରିବାକୁ ଗ୍ରାମବାସୀଙ୍କୁ ୧୦୦ ଏକର ଜମି ଅନ୍ୟତ୍ର ଦିଆଯିବ ବୋଲି ଦାବି ଉପରେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ୨ ବର୍ଷ ବିତଯାଇଥିଲେ ବି ପ୍ରତିଶ୍ରୁତି ରକ୍ଷା ନ କରି ଇଡ୍‌କୋ କାର୍ଯ୍ୟ ଆରମ୍ଭ କରିଥିଲା। ଫଳରେ ଗ୍ରାମବାସୀ ଗତ ମାସ ୨୫ ତାରିଖରେ କାର୍ଯ୍ୟ ବନ୍ଦ କରାଇବା ସହ ପ୍ରଶାସନକୁ ଜଣାଇଥିଲେ। ତୁରନ୍ତ ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଅବଗତ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଇଡ୍‌କୋ ବିରୋଧରେ ଧର୍ମଘଟ କରାଯିବ ବୋଲି ଗ୍ରାମ ସଭାପତି ଅକ୍ଷୟ କୁମାର ବିଶୋଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ନରେଶ ଚନ୍ଦ୍ର ଦେହୁରୀ, ସୁଦର୍ଶନ ପ୍ରଧାନ, ବ୍ରଜବନ୍ଧୁ ସାହୁ, ଅକ୍ଷୟ ବିଶ୍ୱାଳ, ପ୍ରକାଶ ବିଶ୍ୱାଳ, ସଞ୍ଜୟ ବିଶୋଇ, ସରୋଜ ସାହୁ, ଦୁଷ୍ମନ୍ତ ବାରିକ, ଗୋଲଖ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।