ଲଗାଣବର୍ଷା : ପନିପରିବା ସହ ଫସଲ ନଷ୍ଟ ଆଶଙ୍କା

ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି। ଫଳରେ ଚାଷଜମି ସହ ପନିପରିବା ଚାଷ କ୍ଷତି ହେବା ଆଶଙ୍କା କରାଯାଇଛି। ଗୁରୁବାର ସକାଳ ସୁଦ୍ଧା ଅଞ୍ଚଳରେ ୩୮ମିମି ବର୍ଷା ହୋଇଥିବା ରେକର୍ଡ଼ ସଂଗ୍ରହ କରାଯାଇଛି। ସେହିପରି ବର୍ଷା ଯୋଗୁଁ ଅଞ୍ଚଳରେ ଥଣ୍ଡା ପଡ଼ିବା ସହ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀକୁ ଖସିଆସିଛି। ଦାରିଙ୍ଗବାଡ଼ି ସହରକୁ ଛାଡ଼ିଦେଲେ ସିମନବାଡ଼ି ସମେତ ଶ୍ରାନିକେତା, ଭ୍ରମରବାଡ଼ି, ସିଆଙ୍ଗବାଲି, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, ଗଦାପୁର, କୁମ୍ଭାରିଗାଁ, ତାଜୁଙ୍ଗିଆ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲୋକେ ଘରୁ ବାହାରକୁ ବାହାରି ପାରି ନ ଥିବା କହିଛନ୍ତି। ସେପଟେ ଅର୍ଥକାରୀ ଫସଲ ମଧ୍ୟରେ ସୋରିଷ ଚାଷରେ କ୍ଷତି ହୋଇଥିବା ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡାପାଟ କହିଛନ୍ତି।