Categories: ମେଟ୍ରୋ

ଲକ୍‌ଡାଉନ୍‌ର ୩ୟ ଦିନ, ରାଜଧାନୀ ଜନଶୂନ୍ୟ

ଭୁବନେଶ୍ୱର,୨୪।୩ (ବ୍ୟୁରୋ)-ଲକ୍‌ଡାଉନ୍‌ର ତୃତୀୟ ଦିନରେ ରାଜଧାନୀ ରାଜରାସ୍ତା ଶୂନଶାନ ଦେଖିବାକୁ ମିଳିଛି। ପୋଲିସ ଏବଂ ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଦେଖିବାକୁ ମିଳି ନ ଥିଲା। ଲକ୍‌ଡାଉନ୍‌ ପରଦିନ ରାଜଧାନୀର ଅଧିକାଂଶ ଲୋକେ ଏହି ନିୟମକୁ ମାନି ନ ଥିଲେ। ସେମାନେ ବାଇକ୍‌ ଧରି ବୁଲାବୁଲି କରୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ଯୁବକମାନଙ୍କୁ ବାହାରକୁ ନ ଛାଡ଼ିବା ପାଇଁ ପରିବାର ଲୋକଙ୍କୁ ନିବେଦନ କରିଥିଲେ। ଯଦି କେହି ଏହି ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଯାହାଫଳରେ ମଙ୍ଗଳବାର ଅଯଥାରେ ବୁଲୁଥିବା ଲୋକଙ୍କୁ ଦେଖିବାକୁ ମିଳି ନ ଥିଲା।
ଯାଞ୍ଚ ପାଇଁ ବ୍ୟାରିକେଡ:
ସୁରକ୍ଷା ପାଇଁ ରାଜଧାନୀରେ ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେମାନେ ବିଭିନ୍ନ ଛକରେ ଲୋକଙ୍କୁ ଯାଞ୍ଚ କରି ଛାଡୁଛନ୍ତି। ବିଶେଷ କରି ରାଜଧାନୀର ବାଣୀବିହାର, ରାମମନ୍ଦିର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ସିଆରପି, ପାଓ୍ବାର ହାଉସ୍‌,ଏଜି, ରାଜମହଲ, କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟ ଛକମାନଙ୍କରେ ବ୍ୟାପକ ଯାଞ୍ଚ କରାଯାଇଥିଲା। ସୋମବାର ପରି ମଙ୍ଗଳବାର ପୋଲିସ ତାର ଚେକିଂରେ କିଛି ପରିବର୍ତ୍ତନ କରିଥିଲା। ସୋମବାର ପୋଲିସ ଦଉଡ଼ି ଦ୍ୱାରା ରାସ୍ତା ଅବରୋଧ କରି ଯାଞ୍ଚ କରୁଥିଲା। ମଙ୍ଗଳବାର ମୁଖ୍ୟ ଛକମାନଙ୍କରେ ରାସ୍ତା ଉପରେ ବାଉଁଶ ପୋତି ବ୍ୟାରିକେଡ କରାଯାଇଥିଲା। ଗୋଟିଏ ବାଇକ ଯିବା ପାଇଁ ବାଟ ରଖାଯାଇଥିଲା।
ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଦାବ କଲା ସଂଘ:

ରାଜଧାନୀର ବିଭିନ୍ନ ଛକରେ ଯାଞ୍ଚ କରୁଥିବା ପୋଲିସ ଏବଂ ଟ୍ରାଫିକ ପୋଲିସ ଏବେ ଅସୁରକ୍ଷିତ। ସେମାନେ ଯାଞ୍ଚ କରିବା ସମୟରେ ଗାଡିକୁ ଛୁଇଁବା ସହ କାଜପତ୍ରଧରି ଯାଞ୍ଚ କରୁଛନ୍ତି। ତେଣୁ କରୋନା ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦାବି କରାଯାଇଛି। ପୋଲିସ କର୍ମଚାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ପରିବାର ଠାରୁ ଅଲଗା ରଖିବା ପାଇଁ ଓଡ଼ିଶା ହାବିଲଦାର ଓ ସିପାହି ସଂଘ ଦାବି କରିଛି। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ପ୍ରତି ଯତ୍ନବାନ ହେବାକୁ ସଂଘ କହିଛି। ଅନ୍ୟପଟରେ ଦେଖିବାକୁ ଗଲେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ସାନିଟାଇଜର ଦିଆଯାଉନାହିଁ। ସେମାନେ ଜୀବନକୁ ବାଜି ଲଗାଇ ବିଭିନ୍ନ ଛକରେ ଯାଞ୍ଚ କରୁଛନ୍ତି।