ରେଳଯାତ୍ରୀଙ୍କୁ ମାଟିପାତ୍ରରେ ମିଳିବ ଚା, ଜଳଖିଆ

ନୂଆଦିଲ୍ଲୀ: ଏଣିିକି ରେଳଯାତ୍ରୀମାନଙ୍କୁ ମାଟି ପାତ୍ରରେ ଖାଦ୍ୟ, ପାନୀୟ ପରଷାଯିବ। ଦେଶର ୪୦୦ ରେଳଷ୍ଟେସନରେ ଯାତ୍ରୀଙ୍କୁ ମାଟି ନିର୍ମିତ ପାତ୍ରରେ ଖାଦ୍ୟ, ପାନୀୟ ଯୋଗାଇଦେବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଗୁରୁବାର ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି) ସୂଚନା ଦେଇଛି। ପ୍ରଧାନମନ୍ତ୍ରୀଙ୍କ ଅଭିଯାନ ଦେଶକୁ ଥରେ ମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
କେଭିଆଇସିର ଅଧ୍ୟକ୍ଷ ବିନୟ କୁମାର ସକ୍‌ସେନା ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ କୁମ୍ଭାରମାନଙ୍କୁ ୩୦ହଜାର ବିଦ୍ୟୁତ୍‌ ଚାଳିତ କୁମ୍ଭାର ଚକ(ଇଲେକ୍ଟ୍ରିକ୍‌ ପୋଟର୍‌ ହ୍ବିଲ୍‌ସ୍‌) ଏବଂ ମାଟି ପାତ୍ରଗୁଡ଼ିକୁ ନଷ୍ଟ କରି ପୁନଃବ୍ୟବହାରଯୋଗ୍ୟ କରିବାକୁ ଗ୍ରାଇଣ୍ଡିଂ ମେଶିନ୍‌ ଯୋଗାଇଦିଆଯିବ। ତେବେ ଆସନ୍ତା ୧୫ଦିନ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନା ଯେ, ଏହି ୩୦ହଜାର ବିଦ୍ୟୁତ୍‌ ଚାଳିତ କୁମ୍ଭାର ଚକ ମାଧ୍ୟମରେ ଦୈନିକ ୨କୋଟି ମାଟି ନିର୍ମିତ କପ୍‌, ଗ୍ଲାସ୍‌ ଓ ଅନ୍ୟାନ୍ୟ ପାତ୍ର ତିଆରି କରାଯାଇପାରିବ।
ସୂୂଚନା ଥାଉ କି, ଚଳିତ ବର୍ଷ ଜାନୁୟାରୀରୁ ହିଁ ଉତ୍ତରପ୍ରଦେଶର ବାରାଣସୀ ଓ ରାୟବରେଲୀର ରେଳଷ୍ଟେସନଗୁଡ଼ିକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯାହା ଫଳରେ ପ୍ଲାଷ୍ଟିକ୍‌ ସମସ୍ୟାର କିଛି ମାତ୍ରାରେ ସମାଧାନ ସମ୍ଭବ ହୋଇଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପଟେ କେଭିଆଇସିର ଏହି ପ୍ରସ୍ତାବକୁ ସ୍ବୀକାର କରି ରେଲଓ୍ବେ ପକ୍ଷରୁ ନିଜର ବିଭିନ୍ନ ରେଳପଥଗୁଡ଼ିକର ମୁଖ୍ୟଙ୍କୁ ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।