NOTTINGHAM, ENGLAND - JUNE 03: Mohammad Hafeez of Pakistan sweeps the ball during the Group Stage match of the ICC Cricket World Cup 2019 between England and Pakistan at Trent Bridge on June 03, 2019 in Nottingham, England. (Photo by David Rogers/Getty Images)
ନଟିଂହାମ୍, ୪।୫-ଜୋ ରୁଟ୍ ଓ ଜୋସ୍ ବଟଲର ଦ୍ରୁତ ଶତକ ସତ୍ତ୍ୱେ ଇଂଲଣ୍ଡ ଚଳିତ ଆଇସିସି ବିଶ୍ୱକପର ସୋମବାର ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ପାକିସ୍ତାନଠାରୁ ୧୪ ରନରେ ପରାଜିତ ହୋଇଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ବିଶାଳ ୩୪୯ ରନ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ୫୦ ଓଭରରେ ୯ ଉଇକେଟ ହରାଇ ୩୩୪ ରନ କରିବାକୁ ସକ୍ଷମ ହୋଇଛି। ରୁଟ୍ ୧୦୪ ବଲ୍ରୁ ୧୦୭(୧୦ ଚୌକା, ୧ ଛକା) ଓ ବଟଲର ୭୬ ବଲ୍ରୁ ୧୦୩(୯ ଚୌକା, ୨ ଛକା) ରନ ସହ ୫ମ ଉଇକେଟ ଭାଗୀଦାରିରେ ୧୩୦ ରନ ସଂଗ୍ରହ କରିଥିଲେ ତାହା ଇଂଲଣ୍ଡ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ପାକିସ୍ତାନ ପକ୍ଷରୁ ଓ୍ବାହାବ ରିଆଜ ୩ଟି, ଶାଦବ ଖାଁ, ମହମ୍ମଦ ଅମିର ୨ଟି ଲେଖାଏ ଏବଂ ମହମ୍ମଦ ହାଫିଜ ଓ ସୋଏବ ମଲିକ ଗୋଟିଏ ଲେଖାଏ ଉଇକେଟ ନେଇ ଦଳର ବିଜୟରେ ସହାୟକ ହୋଇଥିଲେ। ଉଦ୍ଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ହରାଇଥିବା ଇଂଲଣ୍ଡର ୨ ମ୍ୟାଚରୁ ଏହା ପ୍ରଥମ ପରାଜୟ। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜଠାରୁ ୭ ଉଇକେଟରେ ହାରିଥିବା ପାକିସ୍ତାନ ଏଠାରେ ପ୍ରଥମ ବିଜୟ ହାସଲ କରିଛି। କୌଣସି ବ୍ୟାଟ୍ସମ୍ୟାନ ଶତକ ହାସଲ ନ କରି ବିଶ୍ୱକପର କୌଣସି ମ୍ୟାଚରେ ପାକିସ୍ତାନର ୩୪୮ ରନ ସର୍ବୋଚ୍ଚ ସ୍କୋର। ପୂର୍ବରୁ ୨୦୧୫ରେ ଓ୍ବେଲିଂଟନଠାରେ ୟୁଏଇ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ୩୪୧ ରନ କରି ରେକର୍ଡର ଅଧିକାରୀ ଥିଲା।
ଇଂଲଣ୍ଡ ଟସ୍ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପୂର୍ବରୁ ଇଂଲଣ୍ଡଠାରୁ କ୍ରମାଗତ ୪ ମ୍ୟାଚ ପରାଜୟ ସହ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଏଠାରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଫାଇଦାରେ ରହିଥିଲା। ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଦଳ ବଡ଼ ସ୍କୋର ଆଡ଼କୁ ମୁହାଁଇଥିଲା। ଇମାମ୍-ଉଲ-ହକ୍ ଓ ଫକର ଜମନ ଓପନିଂ ଯୋଡ଼ିରେ ୮୨ ରନ କରି ଦଳପାଇଁ ଭଲ ପ୍ଲାଟ୍ଫର୍ମ ପ୍ରସ୍ତୁତ କରିଥିଲେ। ଫକର ୪୦ ବଲ୍ରୁ ୩୬ ରନ କରି ଆଉଟ ହୋଇଥିଲେ। ୧୫ତମ ଓଭରର ପ୍ରଥମ ବଲ୍ରେ ମୋଇନ୍ ଅଲୀ ଇଂଲଣ୍ଡକୁ ବ୍ରେକ୍ ଥ୍ରୁ ଦେଇଥିଲେ। ଇମାମ ୫୮ ବଲ୍ରୁ ୩ ଚୌକା ଓ ୧ ଛକା ବଳରେ ୪୪ ରନ ସ୍କୋର କରିଥିଲେ। ପରବର୍ତ୍ତୀ ୩ ବ୍ୟାଟ୍ସମ୍ୟାନ ବାବର ଆଜମ ୬୬ ବଲ୍ରୁ ୬୩(୪ ଚୌକା, ୧ ଛକା), ମହମ୍ମଦ ହାଫିଜ ୮୪(୬୨ ବଲ, ୮ ଚୌକା, ୨ ଛକା) ଓ ଅଧିନାୟକ ସର୍ଫରାଜ ଅହମଦ ୪୪ ବଲ୍ରୁ ୫୫(୫ ଚୌକା) ରନ ସ୍କୋର କରି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ଅସିଫ ଅଲୀ (୧୪) ଓ ସୋଏବ ମଲିକ(୮) ବିଫଳ ହୋଇଥିଲେ ହେଁ ଟେଲ୍ ଏଣ୍ଡର ହାସନ ଅଲୀ ୫ ବଲ୍ରୁ ୧୦(୧ ଛକା) ଓ ଶାଦବ ଖାଁ ୪ ବଲ୍ରୁ ୧୦(୨ ଚୌକା) ରନ କରି ଅପରାଜିତ ରହିବାରୁ ପାକିସ୍ତାନ ୫୦ ଓଭରରେ ୮ ଉଇକେଟ ହରାଇ ୩୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ କ୍ରିସ୍ ଓକ୍ସ ଓ ମୋଇନ ଅଲୀ ୩ଟି ଲେଖାଏ ଏବଂ ମାର୍କ ଉଡ୍ ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ୫୦ ଓଭରରେ ୩୪୮/୮(ମହମ୍ମଦ ହାଫିଜ-୮୪, ବାବର ଆଜମ-୬୩, ସର୍ଫରାଜ ଅହମଦ-୫୫, ଇମାମ ଉଲ୍ ହକ୍-୪୪, ଫକର ଜମନ-୩୬, କ୍ରିସ୍ ଓକ୍ସ-୩/୭୧, ମୋଇନ ଅଲୀ-୩/୫୦, ମାର୍କ ଉଡ୍-୨/୫୩)।
ଇଂଲଣ୍ଡ ୫୦ ଓଭରରେ ୩୩୪/୯ (ଜୋ ରୁଟ୍-୧୦୭, ଜୋସ୍ ବଟଲର-୧୦୩, ଜନି ବେୟାରଷ୍ଟୋ-୩୨, ଓ୍ବାହାବ ରିଆଜ-୩/୮୨ ,ଶାଦବ ଖାଁ-୨/୬୩, ମହମ୍ମଦ ଅମିର-୨/୬୭, ମହମଦ ହାଫିଜ-୧/୪୩, ସୋଏବ ମଲିକ-୧/୧୦)।