HAMILTON, NEW ZEALAND - DECEMBER 02: England captain Joe Root celebrates reaching his double century during day 4 of the second Test match between New Zealand and England at Seddon Park on December 02, 2019 in Hamilton, New Zealand. (Photo by Gareth Copley/Getty Images)
ହାମିଲଟନ,୩।୧୨(ଏଏଫପି)- ଅଧିନାୟକ ଜୋ ରୁଟଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୦୧ ରନ୍ର ଇନିଂସ ଅଗ୍ରଣୀ ହାସଲ କରିଛି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୩୭୫ ରନ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୭୬ ରନ ସଂଗ୍ରହ କରିଛି। ସୋମବାର ୪ର୍ଥ ଦିବସ ଶେଷବେଳକୁ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨ ଉଇକେଟ ହରାଇ ୯୬ ରନ ସଂଗ୍ରହ କରିଛି। ଦଳ ୨୮ ରନରେ ୨ଟି ଉଇକେଟ ହରାଇଥିଲେ ହେଁ ଅଧିନାୟକ କେନ୍ ଓ୍ବିଲିୟମସନ ୩୭ ଓ ରସ ଟେଲର ୩୧ ରନ କରି ଇନିଂସ ସମ୍ଭାଳିଛନ୍ତି। ୮ ଉଇକେଟ ସୁରକ୍ଷିତ ଥିବାବେଳେ ନ୍ୟୁଜିଲାଣ୍ଡ ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋରଠାରୁ ୫ ରନ ପଛରେ ରହିଛି।
ରୁଟଙ୍କ ଦ୍ୱିଶତକ ଚତୁର୍ଥ ଦିବସର ଚର୍ଚ୍ଚିତ ଘଟଣା ଥିଲା। ସେ ୪୪୧ଟି ବଲ୍ର ସମ୍ମୁଖୀନ ହୋଇ ୨୨ ଚୌକା ଓ ୧ ଛକା ସହାୟତାରେ ୨୨୬ ରନ ସ୍କୋର କରିଥିଲେ। କୌଣସି ଦଳର ଅଧିନାୟକ ଭାବେ ରୁଟ୍ ନ୍ୟୁଜିଲାଣ୍ଡରେ ପ୍ରଥମେ ଦ୍ୱିଶତକ ହାସଲ କରିଛନ୍ତି। ଦ୍ୱିଶତକ ହାସଲ କରିବାରେ ରୁଟ ଇଂଲଣ୍ଡର ୪ର୍ଥ ଅଧିନାୟକ। ଲେନ ହଟନ ଇଂଲଣ୍ଡର ପ୍ରଥମ ଅଧିନାୟକ ଭାବେ ଦ୍ୱିଶତକ କରିଥିଲେ। ସେ ୧୯୫୪ରେ ୨୫୪ ରନ୍ର ଇନିଂସ ଖେଳିଥିଲେ। ତାଙ୍କ ପରେ ଟେଡ୍ ଡେକ୍ସଟର ୧୯୬୨ରେ କରାଚୀରେ ୨୧୫ ରନ୍ କରିଥିଲେ। ଏହି ତାଲିକାରେ ଆଲିଷ୍ଟର କୁକ୍ (୨୬୩) ମଧ୍ୟ ରହିଛନ୍ତି। ରୁଟ୍ଙ୍କ ବ୍ୟତୀତ ଓଲି ପୋପ୍ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସଫଳ ମୁକାବିଲା କରି ୨୦୨ ବଲ୍ରୁ ୭୫ ରନ ସଂଗ୍ରହ କରିଥିଲେ। ରୁଟ୍ ଓ ପୋପ୍ଙ୍କ ୬ଷ୍ଠ ଉଇକେଟ ଭାଗୀଦାରିରେ ସର୍ବାଧିକ ୧୯୩ ରନ ସଂଗ୍ରହ ହେବା ଯୋଗୁ ହିଁ ଇଂଲଣ୍ଡ ଅଗ୍ରଣୀ ନେବା ସମ୍ଭବ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ନେଲ୍ ଓ୍ବାଗନର ୫ ଉଇକେଟ ସଫଳତା ପାଇଥିବାବେଳେ ଟିମ୍ ସୌଦୀ ୨ଟି ଏବଂ ମ୍ୟାଟ ହେନରି ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।