ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ନିଜ ଆଗାମୀ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’କୁ ନେଇ ଏବେ ବିବାଦ ଦେଖାଦେଇଛି। ଫିଲ୍ମଟି ହିନ୍ଦୁ ଧାର୍ମିକ ଭାବନାକୁ ପ୍ରଭାବିତ କରୁଥିବା ନେଇ ଉତ୍ତର ପ୍ରଦେଶର ଜୈନପୁର କୋର୍ଟରେ ଆଇନ୍‌ଜୀବୀ ହିମାଂଶୁ ଶ୍ରୀବାସ୍ତବ ଫିଲ୍ମର ଦୁଇ ଲିଡ୍‌ ଆକ୍ଟର ଅଜୟ ଦେବଗନ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ନିର୍ଦ୍ଦେଶକ ଇନ୍ଦ୍ର କୁମାର ନାଁରେ ଅଭିଯୋଗ କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିବାବେଳେ ଏହା ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ହିମାଂଶୁ ନିଜ ପିଟିଶନ୍‌ରେ ଉଲ୍ଲେଖ କରିଛନ୍ତି। ଅଜୟ ଦେବଗନ ଚିତ୍ରଗୁପ୍ତଙ୍କ ଛବି ଥିବା ଏକ ପୋଷାକ ପିନ୍ଧି ଜୋକ୍‌ କରିବା ସହ ଅଶାଳୀନ ଭାଷା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଚିତ୍ରଗୁପ୍ତ ମନୁଷ୍ୟର ଭଲ ଓ ମନ୍ଦ କାମର ହିସାବ ରଖୁଥିବାବେଳେ ତାଙ୍କ ଭଳି ଜଣେ ଦିବ୍ୟ ପୁରୁଷଙ୍କ ଚିତ୍ର ଥିବା ପୋଷାକ ଫିଲ୍ମରେ ବ୍ୟବହାର ହେବା ଅନୁଚିତ୍‌ ବୋଲି ହିମାଂଶୁ ନିଜ ପିଟିଶନ୍‌ ଜରିଆରେ କହିଛନ୍ତି। ଅଭିଯୋଗ ନେଇ ନଭେମ୍ବର ୧୮ରେ ଶୁଣାଣି ହେବ। ଫିଲ୍ମଟି ଅକ୍ଟୋବର ୨୪ରେ ମୁକ୍ତିଲାଭ କରିବ।