ରାହୁଲଙ୍କ ବଦାନ୍ୟତା: ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ ପାଠପଢା ପାଇଁ ଦାନକଲେ ୧୭୫ ସ୍ମାର୍ଟ ଟିଭି

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ତଥା ଓ୍ବାୟନାଡର ଏମ୍‌ପି ନିଜ ନିର୍ବାଚନ ମଣ୍ଡଳୀର ଆଦିବାସୀ ପିଲାଙ୍କ ପାଠପଢା ପାଇଁ ୧୭୫ଟି ସ୍ମାର୍ଟ ଟିଭି ଦାନ କରିଥିବା ଜଣାପଡିଛି। ଓ୍ବାୟନାଡାର ଜିଲା ପ୍ରଶାସନକୁ ଏହା ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ମାହାମାରୀ ପାଇଁ ଏବେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ପିଲାମାନଙ୍କୁ ଅନ୍‌ଲାଇନରେ ପାଠ ପଢାଇବା ପାଇଁ କେରଳ ସରକାର ‘ଫାଷ୍ଟ ବେଲ୍‌’ ନାମକ ଏକ କାର୍ଯ୍ୟକ୍ରମ କରିଛନ୍ତି। ଏଥିରେ ପିଲାମାନଙ୍କୁ ଅନ୍‌ଲାଇନରେ ପାଠପଢାଯିବ। ରାଜ୍ୟ ସରକାରଙ୍କ ଏହି ପ୍ରୟାସରେ ରାହୁଲ ମଧ୍ୟ ସହଯୋଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ଜୁନ ୨୦ ରାହୁଲଙ୍କ ଜନ୍ମଦିନ ଅବସରରେ ୫୦ଟି ସ୍ମାର୍ଟ ଟିଭି ଜିଲା ପ୍ରଶାସନକୁ ଦିଆଯାଇଥିବା ବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି ସ୍ମାର୍ଟ ଟିଭି ଯୋଗାଇ ଦିଆଯାଉଛି।