Categories: ଅନୁଗୋଳ

ରାଧାସାହିରେ ଯୁବକଙ୍କୁ ହତ୍ୟା ଘଟଣା: ପୂର୍ବଶତ୍ରୁତାରୁ ଗଳା କାଟିଥିଲେ ପିଉସା

ପାଲଲହଡ଼ା, ୧୪ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଈଶ୍ୱରନଗର ପଞ୍ଚାୟତ ରାଧାସାହି ଗ୍ରାମରେ ଗତ ମଙ୍ଗଳବାର ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ପ୍ରଶ୍ନ ନାୟକଙ୍କୁ ଗଳାକାଟି ତାଙ୍କ ପିଉସା ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି। ଏଥିସହ ଅଭିଯୁକ୍ତ ରଥ ମୁଣ୍ଡାଙ୍କୁ ଗୁରୁବାର ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ପାଲଲହଡ଼ା ପୋଲିସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି।
ସୂଚନା ମୁତାବକ, ସୁନ୍ଦରଗଡ ଜିଲା ବଣାଇ ଅଞ୍ଚଳର ରଥ ମୁଣ୍ଡା ପ୍ରଶ୍ନଙ୍କ ପିଉସୀ ରାଇମୁନି ନାୟକଙ୍କୁ ଦ୍ୱିତୀୟ ବିବାହ କରି ରାଧାସାହିରେ ରହୁଥିଲେ। ୪ ବର୍ଷ ତଳେ ପ୍ରଶ୍ନ ଓ ତାଙ୍କ ସ୍ତ୍ରୀ ପିଉସୀ ରାଇମୁନିଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା। ଏହାର କିଛି ଦିନ ପରେ ରାଇମୁନିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ପ୍ରଶ୍ନ ଓ ତାଙ୍କ ସ୍ତ୍ରୀ ରଥଙ୍କୁ ଘରୁ ବାହାରି ଯିବାକୁ କହିବା ସହ ବାରମ୍ବାର ଅପମାନିତ କରୁଥିଲେ। ଏଥିରେ ରାଗ ରଖି ରଥ ଘଟଣାଦିନ ପୁତୁରା ପ୍ରଶ୍ନଙ୍କୁ ଗାଧୋଇବାକୁ ଯିବାକୁ ଗାଁ ମୁଣ୍ଡକୁ ଡାକିନେଇଥିଲେ। ସେଠାରେ ଏକ ଟାଙ୍ଗିଆରେ ପ୍ରଶ୍ନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ପ୍ରଶ୍ନ ବେହୋସ ହୋଇଯିବା ପରେ ରଥ ତାଙ୍କ ବେକରେ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ପ୍ରଶ୍ନଙ୍କ ମୃତ୍ୟୁ ଘଟିଥିଲା। ସେଠାରୁ ରଥ ଘରକୁ ଆସି ପ୍ରଶ୍ନଙ୍କ ସ୍ତ୍ରୀଙ୍କୁ ଖାଇବାକୁ ମାଗିଥିଲେ। ପ୍ରଶ୍ନ କୁଆଡେ ଗଲେ ବୋଲି ତାଙ୍କ ସ୍ତ୍ରୀ ପଚାରିବାରେ ସେ ପଛରେ ଆସିବେ ବୋଲି ରଥ କହିଥିଲେ। ପ୍ରଶ୍ନ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିବା ପରେ ରାତି ୧୦ଟାରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଗାଁ ରାସ୍ତା ମଝିରେ ପଡିଥିବା ଦେଖିବାକୁ ମିଳିଥିଲା। ବୁଧବାର ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିଥିଲେ। ନଂ. ୬୭/୧୯ରେ ମାମଲା ରୁଜୁ ହୋଇଥିବା ପୋଲିସ ଅଧିକାରୀ ଯଶୋବନ୍ତ ସାମଲ ସୂଚନା ଦେଇଛନ୍ତି I