India Women's Hockey Team v New Zealand, National Hockey Stadium, Rosedale, Auckland, New Zealand Monday 27 January 2020. Photo: Simon Watts/www.bwmedia.co.nz/HockeyNZ
ନୂଆଦିଲ୍ଲୀ, ୩୧।୧ (ପି.ଟି.)- ଭାରତୀୟ ମହିଳା ହକି ଦଳ ଅଧିନାୟିକା ରାଣୀ ରାମପାଲ ଗୁରୁବାର ସମ୍ମାନଜନକ ‘ଓ୍ବାଲର୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର’ ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ହାସଲ କରିବାରେ ସେ ପ୍ରଥମ ହକି ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ବିଶ୍ୱ ବ୍ୟାପୀ ଏ ନେଇ ୨୦ ଦିନ ଧରି ମତଦାନ କରାଯାଇଥିଲା। ବହୁ ସଂଖ୍ୟାରେ ପ୍ରଶଂସକମାନେ ଭୋଟ ଦେଇ ରାଣୀଙ୍କୁ ଏହି ପୁରସ୍କାର ପାଇଁ ବାଛିଥିଲେ। ଏଥିପାଇଁ ରାନୀଙ୍କୁ ଓ୍ବାଲର୍ଡ ଗେମ୍ସ ଅଭିନନ୍ଦନ ଜଣାଇଛି। ଏହି ପୁରସ୍କାର ଜିତିଥିବାରୁ ଭାରତୀୟ ହକି ସୁପରଷ୍ଟାର ରାନୀଙ୍କୁ ବହୁତ ବହୁତ ଅଭିନନ୍ଦନ ବୋଲି ଓ୍ବାଲର୍ଡ ଗେମ୍ସ ତରଫରୁ କୁହାଯାଇଛି।
ମତଦାନରେ ରାନୀ ୧,୯୯, ୪୭୭ ଭୋଟ ହାସଲ କରି ଅନ୍ୟମାନଙ୍କୁ ବହୁ ବ୍ୟବଧାନରେ ପଛରେ ପକାଇଥିଲେ। ମତଦାନରେ ମୋଟ ୭,୦୫, ୬୧୦ ଟି ଭୋଟ ମିଳିଥିଲା। ଗତବର୍ଷ ଭାରତ ଏଫ୍ଆଇଏଚ୍ ସିରିଜ ଫାଇନାଲ୍ସ ଜିତିଥିଲା। ଏଥିରେ ରାଣୀ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ରାଣୀଙ୍କ ନେତୃତ୍ୱରେ ଭାରତ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା।
ମୋ ଦେଶ ଓ ଦଳକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି ବୋଲି ରାଣୀ କହିଛନ୍ତି। ଭାରତ ସରକାର, ହକି ଇଣ୍ଡିଆ, ଦଳ, ପ୍ରଶଂସକ, ହକି ପ୍ରେମୀ, ପରିବାର ସଦସ୍ୟ, ବନ୍ଧୁ, ସାଥୀ କ୍ରୀଡ଼ାବିତ୍, ଦେଶବାସୀ ଓ କୋଚ୍ମାନଙ୍କୁ ସେ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି। ଏମାନେ ବହୁ ସଂଖ୍ୟାରେ ଭୋଟ ଦେଇ ମୋତେ ଏହି ପୁରସ୍କାର ପାଇଁ ଯୋଗ୍ୟ ମଣିଛନ୍ତି ବୋଲି ସେ କହିଛନ୍ତି। ରାଣୀଙ୍କୁ ମଧ୍ୟ କିଛିଦିନ ତଳେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ପାଇଁ ମୋତେ ସୁପାରିସ କରିଥିବାରୁ ରାଣୀ ଏଫ୍ଆଇଏଚ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ସେ ଦି ଓ୍ବାଲର୍ଡ ଗେମ୍ସ ଫେଡେରେଶନଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି।
ରାଣୀଙ୍କୁ ଏଥିପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଅଭିନନ୍ଦନ ଜଣାଇଛନ୍ତି। ରାଣୀ ଏବେ ଯୁବ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ଓ୍ବାଲର୍ଡ ଗେମ୍ସ ଆସୋସିଏଶନ ଅଧ୍ୟକ୍ଷ ଜୋସ ପେରୁରେନା ମଧ୍ୟ ରାଣୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ହକି ଫେଡେରେଶନ ମଧ୍ୟ ତାଙ୍କୁ ଏହି ପୁରସ୍କାର ମିଳିଥିବାରୁ ଶୁଭେଚ୍ଛା ଜଣାଇଛି। ରାଣୀ ଜଣେ ସମର୍ପିତ ହକି ଖେଳାଳି ଓ ସେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବୋଲି ଏଫ୍ଆଇଏଚ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରୀ ଓ୍ବେଲ କହିଛନ୍ତି। ଏହି ପୁରସ୍କାର ବିଶ୍ୱ ହକି ପାଇଁ ମଧ୍ୟ ଏକ ବଡ଼ ଉପଲ୍ବ୍ଧି ବୋଲି ସେ କହିଛନ୍ତି।
ମୋଟ ଉପରେ ଏହି ପୁରସ୍କାର ପାଇଁ ବିଭିନ୍ନ କ୍ରୀଡ଼ାରୁ ୨୫ଜଣ ଆଥଲେଟଙ୍କ ନାମ ସୁପାରିସ କରାଯାଇଥିଲା। ଅନ୍ତର୍ଜାତୀୟ ଫେଡେରେଶନଗୁଡିକ ସେମାନଙ୍କ ଆଥଲେଟଙ୍କ ନାମ ସୁପାରିସ କରିଥିଲେ। ପୁରସ୍କାର ପାଇଁ ଏଫ୍ଆଇଏଚ୍ ତାଙ୍କ ନାମ ସୁପାରିସ କରିଥିଲା। ରାଣୀଙ୍କ ପଛକୁ ରହି ୟୁକ୍ରେନ କରାଟେ ଷ୍ଟାର ଷ୍ଟାନିସ୍ଲାଭ ହୋରୁନା ଓ କାନାଡ଼ାର ଫାଓ୍ବାର ଲିଫ୍ଟିଙ୍ଗ୍ ଓ୍ବାଲର୍ଡ ଚାମ୍ପିୟନ ରାନଆ ଷ୍ଟିନ୍ ୯୨,୦୦୦ ଭୋଟ ପାଇ ମତଦାନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ।