ପୁରୀ ଅଫିସ,୩୧।୫: ମହାମାରୀ କରୋନାର ପ୍ରଭାବ ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣି ଉପରେ ପଡିଛି। ବିଧି ରକ୍ଷା ପାଇଁ ସ୍ନାନଯାତ୍ରା ଶ୍ରୀମନ୍ଦିର ଭିତରେ କରାଯିବାକୁ ଥିବାବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ମେଘନାଦ ପାଚେରି ଭିତରେ ହୋଇଛି। ଏବେ ମହାପ୍ରଭୁଙ୍କ ପ୍ରମୁଖ ଯାତ୍ରା ରଥଯାତ୍ରା ଏବଂ ସ୍ନାନଯାତ୍ରାକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା। ଶନିବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଯଦିଓ ବିନା ଭକ୍ତରେ ସ୍ନାନଯାତ୍ରା ଆୟୋଜନ ହେବା ନେଇ ସ୍ପଷ୍ଟ କରାଯାଇଛି ତଥାପି ରଥଯାତ୍ରାକୁ ନେଇ ଝୁଲି ରହିଛି ନିଷ୍ପତ୍ତି। ଭକ୍ତଙ୍କ ସମାଗମ ବିନା ରଥଯାତ୍ରା ଲାଗି ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ସରକାର ଅନୁମତି ଦେଲେ ଏଥର ହେବ କଟକଣା ଯୁକ୍ତ ରଥଯାତ୍ରା। ଯଦି ରଥଯାତ୍ରା ହୁଏ ତେବେ ବଡ଼ଦାଣ୍ଡର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଯେତେ ହୋଟେଲ, ଲଜ୍, ଧର୍ମଶାଳା ଆଦି ରହିଛି ସେ ସବୁକୁ ଖାଲି କରାଯିବ। କୌଣସି ଯାତ୍ରୀ, ପର୍ଯ୍ୟଟକ ରହିପାରିବେ ନାହିଁ । ସେହିପରି ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ ରହିଥିବା ଲୋକଙ୍କ ଘରକୁ ମଧ୍ୟ ବନ୍ଧୁବାନ୍ଧବ ଆସିବେ ନାହିଁ। ଏମିତି କି ପୁରୀକୁ ମଧ୍ୟ ବାହାର ଲୋକ ଆସିବା ଉପରେ କଟକଣା ରହିବ। ଏହି କଟକଣା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବଳବତ୍ତର ରହିବ। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।