Wrong way traffic sign and safety cones.
ଭୁବନେଶ୍ୱର,୭।୨(ବ୍ୟୁରେ): ରଙ୍ଗ୍ ସାଇଡ୍ରେ ଗାଡ଼ି ଚାଳନା ଯୋଗୁ ରାଜଧାନୀରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହାକୁ ରୋକିବା ପାଇଁ ସହରର କେତେକ ସ୍ଥାନରେ ଟାୟାର କିଲର ବା ସ୍ପାଇକ୍ ବ୍ୟାରିୟର ଲଗାଯିବାକୁ ବୁଧବାର କମିଶନରେଟ୍ ପୋଲିସ୍ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ଏହାକୁ ମାର୍ଚ୍ଚ ୧ରୁ କାର୍ଯ୍ୟକାରୀ କରାଯିବାର ଥିବାବେଳେ ଗୁରୁବାରଠାରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରର ୯ ପ୍ରମୁଖ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯାଇ ରଙ୍ଗ୍ ସାଇଡ୍ରେ ଯାଉଥିବା ଗାଡି ଚାଳକଙ୍କୁ ଧରାଯାଇଛି। ଏସ୍ପ୍ଲାନେଡ୍ ମଲ୍ ନିକଟ, ଜାଗମରା, ରାଜମହଲ ଛକ, ତନିସ୍କ କଟ୍, ଫାୟାର ଷ୍ଟେଶନ, କୋଏଲ କ୍ୟାମ୍ପସ, ଡମଣା, ଗଙ୍ଗନଗର ଓ ବାଣୀବିହାର ଛକରେ ଯାଞ୍ଚ କରାଯାଇ ୮୦ ଗାଡ଼ିକୁ ଜବତ କରାଯାଇଛି। ଜବତ ଗାଡ଼ିଗୁଡିକୁ ପୋଲିସ ଏକ ଭ୍ୟାନ୍ ଦ୍ୱାରା ଏଜି ଛକସ୍ଥିତ ଟ୍ରାଫିକ ଥାନାକୁ ନେଇଥିଲା। ସେଠାରେ ଗାଡ଼ି ମାଲିକ ଓ ଚାଳକ ପହଞ୍ଚତ୍ବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ପକ୍ଷରୁ କୁହାଯାଇଛି ଯେ, ନୂଆ ମୋଟର ଯାନ ଆଇନ ଧାରା ୧୮୪(ଇ)ଏମ୍ଭି ଆକ୍ଟ ଅନୁଯାୟୀ ସିଆର୍ପିସି ୧୫୫ରେ କୋର୍ଟକୁ ପ୍ରୋସିକ୍ୟୁଶନ ରିପୋର୍ଟ ପଠାଯାଇଛି। କୋର୍ଟରେ ଏହି ମାମଲା ଚାଲିବ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରୁ ଲୋକେ ସେମାନଙ୍କ ଗାଡ଼ିକୁ ମୁକୁଳାଇ ନେବେ। ତେବେ ଆଗାମୀ ଦିନରେ ମଧ୍ୟ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯିବ।
ସୂଚନାଯୋଗ୍ୟ, ରାଜଧାନୀରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ରଙ୍ଗ ସାଇଡ୍ ଗାଡି ଚାଳନା ହେଉଥିବାବେଳେ ଅତି ବିପଜ୍ଜନକ ଥିବା ୩୨ ସ୍ଥାନ ଉପରେ ଏବେ କମିଶନରେଟ ପୋଲିସର ଫୋକସ୍ ରହିଛି। ଅନ୍ୟପକ୍ଷରେ ରାଜଧାନୀରେ ପ୍ରଥମକରି ପରୀକ୍ଷାମୂଳକ ଭାବେ ଏସ୍ପ୍ଲାନେଡ୍ ସମ୍ମୁଖ ଓ ବମିଖାଲ ଓଭରବ୍ରିଜ୍ ଆରମ୍ଭ ୨ ପାର୍ଶ୍ୱରେ ଟାୟାର କିଲ୍ର ଲଗାଯିବ। ଏନେଇ ଗୁରୁବାର ଟ୍ରାଫିକ ଏସିପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଏ ସଂକ୍ରାନ୍ତରେ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବ୍ୟବସ୍ଥା ସଂକ୍ରାନ୍ତରେ ପୋଲିସ କମିଶନର ଷଡ଼ଙ୍ଗୀ ଚୂଡାନ୍ତ ରିପୋର୍ଟ ପୂର୍ତ୍ତ ବିଭାଗକୁ ପଠାଇଥିବା ସୂଚନା ମିଳିଛି।