ଯୁବତୀଙ୍କ ସ୍ବାଧୀନତା ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଡିଜିପି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇନ୍ଦୋର,୭।୭: ଯୁବତୀଙ୍କ ସ୍ବାଧୀନତା ଉପରେ ମଧ୍ୟପ୍ରଦେଶ ଡିଜିପି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦେଶରେ ବୃଦ୍ଧି ପାଉଥିବା ବିଭିନ୍ନ ଅପରାଧ ପାଇଁ ଯୁବତୀଙ୍କୁ ଦିଆଯାଇଥିବା ସ୍ବାଧୀନତା ହିଁ ଦାୟୀ ବୋଲି ଡିଜିପି ବି.କେ. ସିଂ କହିଛନ୍ତି। ମହିଳାଙ୍କ ଉପରେ ବଢୁଥିବା ହିଂସା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏପରି କହିଛନ୍ତି। ଅତ୍ୟାଚାର ବୃଦ୍ଧି ଘଟଣାରେ ମହିଳାମାନେ ନିଜେ ଦାୟୀ ବୋଲି ସେ କହିଛନ୍ତି। କେତେକ ଅପହରଣ ମାମଲାର ଉଦାହରଣ ଦେଇ ଡିଜିପି କହିଛନ୍ତି ଯେ, ଯୁବତୀମାନେ ସ୍ବଇଛାରେ ନିଜ ପ୍ରେମିକଙ୍କ ସହିତ ଘରୁ ଚାଲିଯାଉଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ଏନେଇ ଅପହରଣ ମାମଲା ଦାଏର କରାଯାଉଛି। ଏଭଳି ଘଟଣା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଯୁବତୀଙ୍କୁ ଦିଆଯାଉଥିବା ସ୍ବାଧୀନତାର ପ୍ରଭାବ ବୋଲି ଡିଜିପି କହିଛନ୍ତି। ତେବେ ଏହି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି।

Share