Close up of male hands in bracelets behind back
ତିହିଡ଼ି, ୮।୯ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ରାଜନଗର ପଞ୍ଚାୟତ ଅଧୀନ ଚାରିତରଫ ଗ୍ରାମର ସାବିତ୍ରୀ ମହାକୁଡ଼ ନାମ୍ନୀ ଜଣେ ଯୁବତୀଙ୍କୁ ଗତ ମାସ ୨୯ ତାରିଖ ରାତିରେ ବଳାତ୍କାର ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା(ନଂ.୩୯୦/୧୯) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଏହି ଘଟଣାରେ ଫେରାର ଥିବା ଅଭିଯୁକ୍ତ ବାହାରପାଳ ଗ୍ରାମର ଜଗବନ୍ଧୁ ପଲେଇଙ୍କୁ ରବିବାର ପୋଲିସ ଗିରଫ କରିଛି। ଜଗବନ୍ଧୁ କଲିକତାରୁ ଘରକୁ ଫେରୁଥିବା ବେଳେ କମାରିଆ ବଜାର ନିକଟରେ ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
ଉଲ୍ଲେଖନୀୟ ଯେ, ଗତ ୨୯ ତାରିଖ ସନ୍ଧ୍ୟାରେ ସାବିତ୍ରୀ କେଉଁଆଡ଼େ ଚାଲି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ ବାହାରପାଳ ଗ୍ରାମର ଜଣେ ଯୁବକଙ୍କ ବାଇକ୍ରେ ବସି ସାବିତ୍ରୀ ଗଦି ଆଡ଼କୁ ଯାଇଥିବା ତାଙ୍କ ବାପା ଭାଗୀରଥି କେତେକ ଗ୍ରାମବାସୀଙ୍କଠାରୁ ଖବର ପାଇଥିଲେ। ପରେ ସେ ବିଭିନ୍ନ ଆଡ଼େ ସନ୍ଧାନ ନେଇଥିଲେ ମଧ୍ୟ ସାବିତ୍ରୀଙ୍କର କୌଣସି ଖୋଜଖବର ପାଇ ନ ଥିଲେ। ପରଦିନ ସକାଳେ ନାୟକାଣିଡିହୀ ଥାନା ବାଲିମେଦ ପଞ୍ଚାୟତ ଅଧୀନ ପାଇକ୍ସାହି ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିବା ଏବଂ ବ୍ୟବଚ୍ଛେଦ ପାଇଁ ନିଆଯାଇଥିବା ଜାଣିବା ପରେ ସେ ଭଦ୍ରକ ଡାକ୍ତରଖାନାକୁ ଯାଇଥିଲେ। ତାଙ୍କ ଝିଅର ମୃତଦେହ ହୋଇଥିବା ଭାଗୀରଥି ଚିହ୍ନଟ କରିଥିଲେ। ପରେ ସେ ଜଗବନ୍ଧୁ ସାବିତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଜଗବନ୍ଧୁ ଫେରାର ଥିବାରୁ ପୋଲିସ ତାଙ୍କୁ ଗିରଫ କରିପାରି ନ ଥିଲା।