Close up of male hands in bracelets behind back
ଦିଗପହଣ୍ଡି,୫।୯(ଡି.ଏନ୍.ଏ.): ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର ଦିଗପହଣ୍ଡି ପୋଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ପି. ଶିବ ଶଙ୍କର ପାତ୍ର। ମାମଲା ନଂ ୧୭୦/୧୯ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ଅନୁସାରେ, ବିବାହର ପ୍ରତିଶ୍ରୁତି ଦେଇ ଶିବ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଅନ୍ତଃସତ୍ତ୍ୱା ହେବା ପରେ ସେ ଏନେଇ ଶିବଙ୍କୁ ଜଣାଇଥିଲେ। ମାତ୍ର ଶିବ ଏଥିରୁ ଖସି ଯିବାକୁ ଚାହୁଁଥିଲେ। ତେବେ ଯୁବତୀ ଜଣକ ଗତ ରବିବାର ଶିବଙ୍କୁ କୌଶଳ କ୍ରମେ ଗାଁ ନିକଟକୁ ଡାକିଥିଲେ। ଶିବ ସେଠାରେ ପହଞ୍ଚି ଯୁବତୀଙ୍କୁ ଗର୍ଭପାତ ପାଇଁ ପରାମର୍ଶ ଦେବା ସହ ବିବାହ ପାଇଁ ରୋକଠୋକ୍ ମନା କରିଦେଇଥିଲେ। ସେ ଜୋର୍ ଜବରଦସ୍ତ ବାଇକରେ ବସାଇ ଗର୍ଭପାତ ପାଇଁ ଏକ ବେସରକାରୀ ହସ୍ପିଟାଲ ନେବାକୁ ଉଦ୍ୟମ କରିଥିଲେ। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ଏହା ଦେଖି କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସବୁ କଥା ଯୁବତୀଙ୍କ ଠାରୁ ଶୁଣିବା ପରେ ଶିବଙ୍କୁ ଅଟକ ରଖି ପୋଲିସର ଜିମା ଦେଇଥିଲେ। ପୋଲିସ ଉଭୟ ପରିବାର ଲୋକଙ୍କୁ ଥାନାକୁ ଡକାଇ ଆଲୋଚନା କରିଥିଲେ। ବିବାହ ପାଇଁ ଶିବ ରାଜି ନ ହେବାରୁ ଯୁବତୀଙ୍କ ଏତଲା କ୍ରମେ ତାଙ୍କୁ ଗିରଫ କରାଯାଇଥିଲ। ବୁଧବାର ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିବା ଜଣାପଡ଼ିଛି।