Categories: ଅନୁଗୋଳ

ଯୁବକଙ୍କ ମୃତ୍ୟୁକୁ ନେଇ ବନ ବିଭାଗ ବିରୋଧରେ ମାମଲା ଘଟଣା: କ୍ଷତିପୂରଣ ଦାବିରେ କାର୍ଯ୍ୟାଳୟ ଘେରାଉ

ପାଲଲହଡ଼ା,୨୪ା୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିବା ପାଲଲହଡା ଥାନା ବାତିସୂଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ବୁଧୁରାମ କୁଙ୍କାଲଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ସୋମବାର ସ୍ଥାନୀୟ ଆଦିବାସୀ ମଞ୍ଚ ପକ୍ଷରୁ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା I ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ ଏବଂ ଈଶ୍ବରଚନ୍ଦ୍ର ପିଙ୍ଗୁଆଙ୍କ ନେତୃତ୍ୱରେ ୫୦ ରୁ ଊର୍ଦ୍ଧ୍ୱ ଆଦିବାସୀ ପୁରୁଷ ଏବଂ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ମୃତ ବୁଧୁରାମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଏବଂ ସ୍ତ୍ରୀ ପ୍ରମିଳାଙ୍କୁ ସରକାରୀ ଚାକିରି ପ୍ରଦାନ, ଅଭିଯୁକ୍ତଙ୍କୁ ଚାକିରିରୁ ବାରଖାସ୍ତ ଦାବି କରିବା ସହ ସ୍ଥାନୀୟ ରେଞ୍ଜର ଦୁର୍ଯ୍ୟୋଧନ ଜେରେଇଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ସମସ୍ତ ଦାବି ପୂରଣ କରା ନ ଯାଏ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏ ସମ୍ପର୍କରେ ପାଲଲହଡା ରେଞ୍ଜର ଜେରେଇ କହିଛନ୍ତି, ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବାବେଳେ ବୁଧୁରାମଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପାଲଲହଡା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ପାଇଁ ବନ ବିଭାଗ କୌଣସି ପ୍ରକାର ଦାୟୀ ନୁହେଁ।