white shape of body and blood stains on asphalt texture
ବ୍ରହ୍ମପୁର ଅଫିସ,୪।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତିରେ ଅନିଲ ପଣ୍ଡା (୧୮)ଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ରେଲ୍ଓ୍ବେ ପୋଲିସ (ଜିଆରପି)ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ବୁଧବାର ପୋଲିସ ଯୁବକଙ୍କ ମୃତଦେହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଅନିଲଙ୍କ ବଡଭାଇ ସୁନୀଲ କୁମାର ପଣ୍ଡାଙ୍କ ଅଭିଯୋଗ କ୍ରମେ ପୋଲିସ ୧୨୦/୧୯ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଜିଆରପି ଡିଏସ୍ପି ଚନ୍ଦ୍ର ଶେଖର ସାହୁଙ୍କ ନେତୃତ୍ୱରେ ଥାନାଧିକାରୀ ସୁକାନ୍ତ ଭୋଇ ଓ କିଛି ଦକ୍ଷ ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଅଭିଯୁକ୍ତଙ୍କ ଘର କୋଦଳା ଥାନା ଅନ୍ତର୍ଗତ ସୁମଣ୍ଡଳ ବୋଲି ପୋଲିସ ଜାଣିବାକୁ ପାଇଛି । ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ଟ୍ରାକିଂ କରୁଥିବା ବେଳେ ଅଭିଯୁକ୍ତଙ୍କ ଗତିବିଧି ଉପରେ ମଧ୍ୟ କଡା ନଜର ରଖିଥିବା କୁହାଯାଇଛି । ବୁଧବାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଛି । ଅନ୍ୟପଟେ ଘଟଣାର କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପ୍ରକାରେ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି। ସେ ରହୁଥିବା ଗୁଡ୍ସ ଶେଡ଼ରେ ଚଢାଉ କରି ଅଭିଯୁକ୍ତଙ୍କ ଏକ ଫୋଟୋ ପୋଲିସ ଜବତ କରିଛି।
ଘଟଣାରୁ ପ୍ରକାଶ, ମଙ୍ଗଳବାର ରାତିରେ ଅନିଲ ରେଳଷ୍ଟେଶନର ୪ ନମ୍ବର ପ୍ଲାଟଫର୍ମ ପଟକୁ ଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ଅଟକାଇ ପ୍ରଥମେ ତାଙ୍କ ସହ ଝଗଡ଼ା କରିଥିଲେ। ପରେ ସେ ଧରିଥିବା ଏକ ଧାରୁଆ ଅସ୍ତ୍ରରେ ଅନିଲଙ୍କ ଗଳାକାଟି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।