ମୋଫେଡ ଚାଳକଙ୍କୁ ଦେଖି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେଲା ପାଲିସ

ଚନ୍ଦୌଲି,୧୩।୯: ଉତ୍ତର ପ୍ରଦେଶରେ ଜଣେ ମୋଫେଡ ଚାଳକଙ୍କୁ ଦେଖି ଟ୍ରାଫିକ୍‌ ପୋଲିସ ଯାଞ୍ଚ କରି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନୂଆ ମୋଟର ଯାନ ନିୟମ ପରେ ଉତ୍ତର ପ୍ରଦେଶରେ ପ୍ରାୟ ପ୍ରତିଦିନ ଯାଞ୍ଚ ସମୟରେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏହା ପରେ ବି ଲୋକେ ଖୋଲାଖୋଲି ଭାବେ ଏହି ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଚନ୍ଦୌଲିରେ। ଏଠାରେ ଜଣେ ମୋଫେଡ ଚାଳକ ଗାଡିରେ ସପରିବାର ଅର୍ଥାତ୍‌ ୪ ଜଣ ଯାଉଥିବା ଓ ବିନା ହେଲ୍‌ମେଟରେ ସମସ୍ତେ ଯାତ୍ରା କରୁଥିଲେ ବି ଟ୍ରାଫିକ୍‌ ପୋଲିସ ଏହାକୁ ଦେଖି କିଛି ଯାଞ୍ଚ କରିବା ପୂର୍ବରୁ ହାତ ଯୋଡି ଦେଇଥିଲେ। ସୂଚନାଯୋଗ୍ୟ, ଚନ୍ଦୌଲିର ଦିନଦୟାଲ ନଗରର ଚାକିଆ ଟ୍ରାଫିକ୍‌ ପୋଷ୍ଟରେ ଟ୍ରାଫିକ୍‌ ଇନ୍ସପେକ୍ଟର ସୁବୋଧ କୁମାର ତୋମର ଏକ ଟିମ୍‌ ସହ ମିଶି ଗାଡି ଗୁଡିକର ଯାଞ୍ଚ କରୁଥିଲେ। ଏହି ସମୟରେ ଜଣେ ମୋଫେଡ ଚାଳକ ୪ ଜଣଙ୍କୁ ବସାଇ ଆସୁଥିବା ଦେଖି ଟ୍ରାଫିକ୍‌ ଇନ୍ସପେକ୍ଟର ସୁବୋଧ କୁମାର ତାଙ୍କୁ ଅଟକାଇଥିଲେ। ହେଲେ ମୋଫେଡ ଚାଳକ ଜଣକ ଯେ ଖୋଲାଖୋଲି ଭାବେ ନୂଆ ମୋଟର ଯାନ ନିୟମର ଉଲ୍ଲଂଘନ କରୁଥିଲେ ତାହା ଜଳଜଳ ହୋଇ ଦେଖାଯାଉଥିଲା। ଏହାପରେ ବି ଟ୍ରାଫିକ୍‌ ଇନ୍ସପେକ୍ଟର ସୁବୋଧ କୁମାର ତାଙ୍କୁ ନୂଆ ମୋଟର ଯାନ ନିୟମ ବିଷୟରେ ବୁଝାଇବା ସହ ଆଗକୁ ଏହାକୁ ପାଳନ କରିବାକୁ ଅନୁରୋଧ କରିଥିଲେ।