ମେଣ୍ଢାଙ୍କୁ ଜଗୁଛି ରୋବୋ

ନୂଆଦିଲ୍ଲୀ: ଚାଷକାମରେ ଆଜିକାଲି ରୋବୋ ସବୁକିଛି କରିପାରୁଛି। ଏମିତିକି ରୋବୋ ବି ମେଣ୍ଢାପଲଙ୍କୁ ନେଇ ଚରାଇ ପୁଣି ଥରେ ଘରକୁ ଫେରାଇ ଆଣିପାରେ। ଏମିତି ଏକ କାମ କରୁଥିବା ଏକ ରୋବୋର ଭିଡ଼ିଓ ଏବେ ଭାଇରାଲ୍‌ ହୋଇଛି। ରୋବୋଟି ସୁନ୍ଦରଭାବରେ ଏକ ମେଣ୍ଢା ପଲକୁ ନେଇ ବାହାରେ ଚରାଇ ପୁଣି ଥରେ ଶୃଙ୍ଖଳିତଭାବେ ଘରକୁ ଫେରାଇ ଆଣି ପାରୁଛି।
ରୋବୋ ଏପରି କାମ କରୁଥିବାର ଭିଡ଼ିଓଟିକୁ ଟେକ୍ନୋଲୋଜି କମ୍ପାନୀ ରୋକୋସ୍‌ ତାର ୟୁଟ୍ୟୁବ୍‌ ପେଜ୍‌ରେ ଶେୟାର କରିଛି। ଏହି ରୋବୋଟିକୁ ତିଆରି କରିଛି ବୋଷ୍ଟନ ଡାଇନାମିକ୍‌ କମ୍ପାନୀ। ଏହି କମ୍ପାନୀ କୃଷି କ୍ଷେତ୍ରରେ ବ୍ୟବହାର କରିବା ନିମନ୍ତେ ବହୁ ପ୍ରକାରର ଆଧୁନିକ ଯନ୍ତ୍ରପାତି ଓ ରୋବୋ ତିଆରି କରିଛି। କମ୍ପାନୀର ଏହି ନୂଆ ରୋବୋଟି ବିଭିନ୍ନ ପ୍ରକାରର କୃଷି କାମକୁ ସହଜରେ କରିପାରୁଥିବାରୁ କୃଷି ଶ୍ରମିକଙ୍କ ସଂଖ୍ୟା ବହୁତ କମ୍‌ ହୋଇଯାଇଥାଏ। ଅଧିକାଂଶ ଦେଶ ଏବେ କୃଷି କ୍ଷେତ୍ରରେ ରୋବୋ ବ୍ୟବହାର କରି କାମକୁ ସହଜ କରିବା ସହିତ ଅଧିକ ଉତ୍ପାଦନ କରିପାରୁଛନ୍ତି। ତେଣୁ ଚାଷୀମାନେ ଏବେ ରୋବୋ ବ୍ୟବହାର କରି ଅଧିକ ଉତ୍ପାଦନ କରିବାକୁ ସକ୍ଷମ ହେଉଛନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏହି ରୋବୋକୁ ଦେଖି ଲୋକେ ସୁନ୍ଦର କମେଣ୍ଟମାନ ଦେବାରେ ଲାଗିଛନ୍ତି। ଭିଜୁଆଲ୍‌ଟି ଶେୟାର କରାଯିବାର ମାତ୍ର କେଇଟା ଦିନ ପରେ ଏହାକୁ ପ୍ରାୟ ୪ ଲକ୍ଷ ଲୋକ ଦେଖି ସାରିଲେଣି ଏବଂ ହଜାର ହଜାର କମେଣ୍ଟ ମିଳିଛି। ରୋବୋର ଏପରି କାମ ଦେଖି କିଛିଲୋକ ଏହାକୁ ସେନାରେ ନିୟୋଜିତ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।