Categories: ଅନୁଗୋଳ

ମୂଷା ଭୟ: ଝିଅ ଶବ ଜଗିବସିଲେ ମା’

ଅନୁଗୋଳ ଅଫିସ, ୨୧।୭ – ଅନୁଗୋଳ ମେଡିକାଲ ଶବ ବ୍ୟବଚ୍ଛେଦ ଗୃହରୁ ଜଣେ ଶିଶୁକନ୍ୟାର ଦୁଇ ଆଖି ଗାଏବ ଅଭିଯୋଗ ଅନ୍ୟ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହାର ଉଦାହରଣ ଶୁକ୍ରବାର ରାତିରେ ହିଁ ଦେଖିବାକୁ ମିଳିଛି। ସାପ କାମୁଡ଼ାରେ ଜଣେ ୮ ବର୍ଷର ଶିଶୁକନ୍ୟାର ମୃତ୍ୟୁ ପରେ ଡାକ୍ତର ମୃତଦେହ ବ୍ୟବଚ୍ଛେଦ ଗୃହକୁ ନ ପଠାଇ କାଜୁଆଲଟି ବାହାରେ ରଖିଥିବା ବେଳେ ରାତି ସାରା ତାହାକୁ ମା’ ଜଗି ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାରୁ ପ୍ରକାଶ ଯେ, ସ୍ଥାନୀୟ ଖଣ୍ଡହତା ଗାଁର ଜୟଶ୍ରୀ ନେହେରାଙ୍କୁ ସାପ କାମୁଡ଼ି ଦେଇଥିଲା। ଶୁକ୍ରବାର ରାତିରେ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। କିନ୍ତୁ ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ ଗୃହକୁ ନ ପଠାଇ କାଜୁଆଲଟି ବାରଣ୍ଡାରେ ରଖାଯାଇଥିଲା। ଶବ ସଂରକ୍ଷଣ ଗୃହର ଚାବି କାଜୁଆଲଟିରେ ଥାଇ ବି ଡାକ୍ତର ସେଠାକୁ ମୃତଦେହ ପଠାଇ ନ ଥିବା ବେଳେ ରାତି ସାରା ଝିଅର ମୃତଦେହ ସେ ଜଗି ବସିଥିବା ଜୟଶ୍ରୀଙ୍କ ମା’ କହିଛନ୍ତି। ଶନିବାର ସକାଳେ ମୃତଦେହକୁ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା। ଅନୁଗୋଳ ପୋଲିସ ପହଞ୍ଚି ପଞ୍ଚନାମା କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା।