Categories: ଅନୁଗୋଳ

ମୁଖ୍ୟ ଚିକିତ୍ସାଳୟରେ ଥାଲାସେମିଆ ରୋଗୀଙ୍କୁ ଅଣଦେଖା: ମିଳୁନି ଔଷଧ, ପ୍ରଦାନ କରାଯାଉନି ଭତ୍ତା

ଅନୁଗୋଳ ଅଫିସ, ୧୪।୧୨ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ସିକଲସେଲ ଓ ଥାଲାସେମିଆ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହୋଇଛି। ଏପରି କି ରୋଗୀମାନଙ୍କୁ ମେଡିକାଲରେ ଔଷଧ ମିଳୁ ନ ଥିବାବେଳେ ୮ ମାସ ହେବ ଭତ୍ତା ମଧ୍ୟ ପ୍ରଦାନ କରାଯାଇନାହିଁ। ବସଲା, ବେନ୍ତପୁର ଆଦି ଅଞ୍ଚଳରୁ ଆସିଥିବା ସିକଲସେଲ ଓ ଥାଲାସେମିଆ ରୋଗୀଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ)ଙ୍କ ଉଦ୍ଦେଶ୍ୟରେ ଏପରି ଅଭିଯୋଗପତ୍ର ଏଡିଏମ୍‌ଓଙ୍କୁ ପ୍ରଦାନ କରିଛନ୍ତି। ତେବେ ଏ ନେଇ ଅନୁଧ୍ୟାନ କରାଯିବ ବୋଲି ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଉକ୍ତ ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ସିକଲସେଲ ଓ ଥାଲାସେମିଆ ରୋଗୀରେ ପୀଡ଼ିତ ପିଲାଙ୍କୁ ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥାନ୍ତି। ତେବେ ରକ୍ତଭଣ୍ଡାରରେ ରକ୍ତ ମିଳିଯାଉଥିବାବେଳେ ମେଡିକାଲରେ ଔଷଧ ପାଇଁ କୌଣସି ସୁବିଧା ରହୁନାହିଁ। ଏପରି କି ନିରାମୟ ଓ ଜନଔଷଧି କେନ୍ଦ୍ରରେ ଏହା ମିଳୁନାହିଁ। ଫଳରେ କଟକ ବଡ଼ ମେଡିକାଲକୁ ପ୍ରତ୍ୟେକ ମାସରେ ସେମାନଙ୍କୁ ଦୁଇ ଥର ଯିବାକୁ ପଡ଼ୁଛି। ଏହାଦ୍ୱାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ରୋଗୀଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ବାବଦକୁ ମାସିକ ଯାତାୟାତ ଖର୍ଚ୍ଚ ୫ ଶହ ଟଙ୍କା ଭତ୍ତା ହିସାବରେ ପ୍ରଦାନ କରାଯାଇଥାଏ। କିନ୍ତୁ ଗତ ୮ ମାସ ହେବ ସେମାନଙ୍କୁ ଏହି ଭତ୍ତା ଟଙ୍କା ମିଳିପାରିନାହିଁ। ଫଳରେ ଚିକିତ୍ସା କରାଇବାକୁ ମେଡିକାଲ ଆସିବା କଷ୍ଟକର ହୋଇପଡ଼ିଲାଣି ବୋଲି ସେମାନେ କହିଛନ୍ତି। ଏପରି କି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଉଦ୍ଦିଷ୍ଟ ଔଷଧ କଟକ ଯାଇ ଆଣିବା ସମ୍ଭବପର ହୋଇପାରୁନାହିଁ। ଏ ନେଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଔଷଧ ଯୋଗାଇ ଦିଆଯିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ସିକଲସେଲ ଓ ଥାଲାସେମିଆ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବିଭାଗ ଖୋଲାଯିବାକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଅଭିଯୋଗପତ୍ର ଗ୍ରହଣ କରିବା ସମୟରେ ଏଡିଏମ୍‌ଓ ବିଶୋଇ କହିଥିଲେ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡିଶିନ ମଗାଯିବାର ବ୍ୟବସ୍ଥା କରାଯିବ। ଏଥିସହ ଭତ୍ତା ପ୍ରଦାନ କେଉଁ କାରଣରୁ ହୋଇନାହିଁ, ତାହାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ଏଡିଏମ୍‌ଓ ପ୍ରତିଶ୍ରୁତି ଦେଇଛନ୍ତି।