ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ଆଶଙ୍କା ୪୦ ପ୍ରତିଶତ କମିଯାଏ

ବର୍ଲିନ୍‌, ୧୪।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟବଧାନରେ ହାତ ଧୋଇବା, ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭାରତ, ସିଙ୍ଗାପୁର, ଫ୍ରାନ୍ସ୍‌, ସ୍ପେନ୍‌, ଜର୍ମାନୀ, ଆର୍ଜେଣ୍ଟିନା ଆଦି ଦେଶରେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି। ତେବେ ମାସ୍କ୍‌ ପିନ୍ଧିବା ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା ୪୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜର୍ମାନୀର ବନ୍‌ଠାରେ ଥିବା ଆଇଜେଡ୍‌ଏ ଲେବର ଇକୋନୋମିକ୍ସ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ମାସ୍କ୍‌ର ବ୍ୟବହାର ଦ୍ୱାରା ଏଠାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଥିତ୍ବା ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟକୁ ଦିଲ୍ଲୀ ଏମ୍ସ୍‌ର ପ୍ରଫେସର ଜି.ସି. ଖିଲନାନି ସମର୍ଥନ କରିଛନ୍ତି। ଆଗାମୀ ଦିନରେ ରିପୋର୍ଟରେ ଉଲ୍ଲେଖଥିବା ତଥ୍ୟ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।