Sri Lanka's Lasith Malinga successfully appeals to dismiss New Zealand's Ross Taylor as his fourth wicket taken in four consecutive balls during the third Twenty20 international cricket match between Sri Lanka and New Zealand in Pallekele, Sri Lanka, Friday, Sept. 6, 2019. (AP Photo/Eranga Jayawardena)
ପାଲିକେଲ,୭।୯- ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଘରୋଇ ଶ୍ରୀଲଙ୍କା ୩୭ ରନରେ ବିଜୟୀ ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍ରେ ପରାସ୍ତ ହୋଇ ସିରିଜ ହାତଛଡ଼ା କରିଥିବା ଶ୍ରୀଲଙ୍କ ଏହି ମୁକାବିଲା ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୨୫ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୬ ଓଭରରେ ୮୮ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ନ୍ୟୁଜିଲାଣ୍ଡ ୨-୧ରେ ସିରିଜ ବିଜୟୀ ହୋଇଛି। ହ୍ୟାଟ୍ରିକ ନେବା ସହ ମାତ୍ର ୬ ରନରେ ୫ ଉଇକେଟ ଅକ୍ତିଆର କରିଥିବା ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ମାଲିଙ୍ଗାଙ୍କ ପ୍ରଦର୍ଶନ ଐତିହାସିକ ଥିଲା।
ନ୍ୟୁଜିଲାଣ୍ଡର ୪ଜଣ ବ୍ୟାଟ୍ସମ୍ୟାନ ହାମିଶ ରଦର୍ଫୋଡ, କଲିନ୍ ଡି ଗ୍ରାଣ୍ଡହୋମ, ଅଭିଜ୍ଞ ରସ୍ ଟେଲର ଓ ସ୍କଟ କୁଗେଲେଜିନ୍ ଖାତା ଖୋଲିପାରି ନ ଥିଲେ। ଓପନର କଲିନ୍ ମୁନରୋ ୧୨, ମିଚେଲ ସାଣ୍ଟନର ୧୬ ରନ କରିଥିବା ବେଳେ ଅଧିନାୟକ ଟିମ ସୌଦି ୨୮ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ଆନ୍ତିମ ଉଇକେଟରେ ସୌଦି ଓ ସେଠ ରାନ୍ସ ୩୬ ବଲରୁ ୩୬ ରନ କରି ଲଢ଼େଇ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଅଭିଜ୍ଞ ଲସିଥ ମାଲିଙ୍ଗା ସର୍ବାଧିକ ୫, ଅକିଲ ଦନଞ୍ଜୟ ୨, ଲକ୍ଷନ ସନ୍ଦକାନ ଓ ଓ୍ବାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଦନୁଷ୍କା ଗୁଣତିଲକା ସର୍ବାଧିକ ୩୦, ନିରୋଶାନ ଡିକ୍ଓ୍ବେଲା ୨୪, ଲାହିରୁ ମଦୁସନ୍କା ୨୦ ରନ କରି ଆଉଟ ହୋଇଥିଲେ। ଓ୍ବାନିଣ୍ଡୁ ହାସରଙ୍ଗା ୧୪ ରନ କରି ଅପରାଜିତ ରହିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ମିଚେଲ ସାଣ୍ଟନର ଓ ଟୋଡ ଆଶଲେ ୩ଟି ଲେଖାଏ ଏବଂ ସ୍କଟ୍ କୁଗେଲେଜିନ୍ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୨୦ ଓଭରରେ ୧୨୫/୮
(ଗୁଣତିଲକା- ୩୦, ଡିକ୍ଓ୍ବେଲା- ୨୪, ମଦୁସନକା- ୨୦, ସାଣ୍ଟନର- ୩/୧୨, ଆଶଲେ- ୩/୨୮)।
ନ୍ୟୁଜିଲାଣ୍ଡ ୧୬ ଓଭରରେ ୮୮ ଅଲଆଉଟ୍
(ସୌଦି- ୨୮*, ସାଣ୍ଟନର- ୧୬, ମୁନ୍ରୋ- ୧୨, ମାଲିଙ୍ଗା- ୫/୬, ଦନଞ୍ଜୟ- ୨/୨୮, ସନ୍ଦକାନ- ୧/୩୩, ହାସରଙ୍ଗା- ୧/୧୨)