Categories: Home Leftଖେଳ

ମାର୍ଚ୍ଚ ୧ରୁ ଚେପକରେ ଧୋନୀ

ଚେନ୍ନାଇ,୧୬।୨- ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତାଙ୍କ ଅବସର ନେଇ କିଛି ସ୍ପଷ୍ଟ ନ ଥିବାବେଳେ ସେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ଖେଳିବା ନିଶ୍ଚିତ। ମାର୍ଚ୍ଚ ୨୯ ତାରିଖରୁ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏଥିପୂର୍ବରୁ ସେ ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଆସନ୍ତା ୧ ତାରିଖରୁ ଅଭ୍ୟାସ ଆରମ୍ଭ କରିବେ। ସେ ଏଠାରେ ୨ ସପ୍ତାହ ଅଭ୍ୟାସ କରିବେ। ପରେ ୪ରୁ ୫ ଦିନ ପାଇଁ ରାଞ୍ଚି ଚାଲିଯିବେ। ପୁଣି ଆଇପିଏଲ ପୂର୍ବରୁ ଏଠାରେ ଟ୍ରେନିଂ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ କଦାପି ଧୋନୀ ଏତେ ଆଗରୁ ଆସି ଅଭ୍ୟାସ କରି ନାହାନ୍ତି। ଆଗରୁ ସେ ଭାରତୀୟ ଦଳର କାର୍ଯ୍ୟରେ ବ୍ୟସ୍ତ ଥିଲେ। ଲମ୍ବା ବ୍ରେକ ଯୋଗୁ ଧୋନୀ ପୂରା ଫ୍ରେସ ଥିବେ ବୋଲି ଆଶା କରାଯାଉଛି। ତାଙ୍କ ସହ ସୁରେଶ ରାଇନା ଓ ଅମ୍ବାତି ରାୟୁଡୁ ମଧ୍ୟ ଏଠାରେ ଟ୍ରେନିଂ କରିବେ। ଅନ୍ତର୍ଜାତୀୟ ସ୍ତରରେ ଉପଲବ୍ଧ ହେବା ପରେ ଖେଳାଳିମାନେ ଧିରେ ଧିରେ ଟ୍ରେନିଂରେ ଯୋଗଦେବେ।