Categories: ଅନୁଗୋଳ

ମାଟିରେ ମିଶିଯିବ ମହତ ଉଦ୍ଦେଶ୍ୟ: ଜରାଜୀର୍ଣ୍ଣ ହେଉଛି ପ୍ରଜାମଣ୍ଡଳ ଭବନ

ତାଳଚେର,୧୪ା୧୨ (ମନୋଜ ନନ୍ଦ) – ପ୍ରଜାମଣ୍ଡଳ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାତ୍ର ୧୫ ବର୍ଷ ତଳେ ଉଦ୍‌ଘାଟିତ ତାଳଚେର ହାଟତୋଟାସ୍ଥିତ ପ୍ରଜାମଣ୍ଡଳ ଭବନ ଜରାଜୀର୍ଣ୍ଣ ହେବାରେ ଲାଗିଛି। ଉଦ୍‌ଘାଟନ ପରଠାରୁ ଏହାକୁ ପୌର ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲେ ବି କର୍ତ୍ତୃପକ୍ଷ କେବଳ ଏଠାରୁ ରାଜସ୍ବ ଆଦାୟରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି। କାରଣ ଏହି ୧୫ ବର୍ଷ ମଧ୍ୟରେ ରକ୍ଷଣାବେକ୍ଷଣ ବାବଦରେ ପୌର ସଂସ୍ଥା କିଛି ବି କାର୍ଯ୍ୟ କରି ନ ଥିବା ସହରବାସୀ ଅଭିଯୋଗ କରୁଛନ୍ତି। ଖାସ୍‌ ଏଥିପାଇଁ ଯେଉଁ ମହତ ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଥିଲା ତାହା ଏବେ ମାଟିରେ ମିଶିଯିବ ବୋଲି ସହରବାସୀ ଆଶଙ୍କା କରୁଛନ୍ତି।
୧୯୯୭ରେ ତତ୍‌କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଅମର ପ୍ରଧାନ ଏହି ପ୍ରଜାମଣ୍ଡଳ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମହାନଦୀ କୋଲ୍‌ ଫିଲଡ୍‌ସ ଲିମିଟେଡ୍‌ ପକ୍ଷରୁ ଏଥିପାଇଁ ୬୯ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ୨୦୦୪ ଜାନୁୟାରୀ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଜାମଣ୍ଡଳ ଭବନର ଉଦ୍‌ଘାଟନ କରିଥିଲେ। ସେବେଠାରୁ ଏହାକୁ ତାଳଚେର ପୌରପରିଷଦକୁ ହସ୍ତାନ୍ତର କରାଯାଇଥିଲା। ଦାୟିତ୍ୱ ନେବାର ୧୫ ବର୍ଷ ମଧ୍ୟରେ ପୌର କର୍ତ୍ତୃପକ୍ଷ ପ୍ରଜାମଣ୍ଡଳ ଭବନ ଓ ଏହାର ପରିସରକୁ ବିଭିନ୍ନ ସାଂସ୍କୃତିକ, ଫାଟକ, ଘର, ଶୌଚାଳୟ, କବାଟ ଝରକା ଆଦି ଭାଙ୍ଗିରୁଜି ଯିବାକୁ ବସିଥିଲେ ବି ତାହାର ମରାମତି କରୁନାହାନ୍ତି। ଏପରି କି ଚଟାଣ ତାଡ଼ି ହୋଇ ମାଟି ଦେଖାଯାଉଥିବାରୁ ଏହା ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। କିନ୍ତୁ ପୌର କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଉ ନ ଦେଇ ବ୍ୟବସାୟରେ ମାତି ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। କେବଳ ପୌର ସଂସ୍ଥା ନୁହେଁ ତାଳଚେର ପ୍ରଶାସନ ମଧ୍ୟ ଏଥିପାଇଁ ଦାୟୀ ବୋଲି ସହରବାସୀ ଅଭିଯୋଗ କରୁଛନ୍ତି।