India v New Zealand, National Hockey Arena, Auckland, New Zealand, Wednesday 5 February 2020. Photo: Simon Watts/www.bwmedia.co.nz
ଅକ୍ଲାଣ୍ଡ, ୬।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ଏହାର ନ୍ୟୁଜିଲାଣ୍ଡ ଟୁର୍ ଶେଷ କରିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ନଭନୀତ କୌର ୨ଟି ଓ ଶର୍ମିଳା ଗୋଟିଏ ଗୋଲ ସ୍କୋର କରିଛନ୍ତି। ଏହି ଟୁର୍ର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡର ଯୁବ ଦଳକୁ ୪-୦ ଗୋଲରେ ପରାସ୍ତ କରିଥିଲା। ମାତ୍ର ପରବର୍ତ୍ତୀ ୨ଟି ମ୍ୟାଚରେ ନ୍ୟୁଜିଲାଣ୍ଡ ଜାତୀୟ ଦଳଠାରୁ ଯଥାକ୍ରମେ ୧-୨, ଓ ୦-୧ ଗୋଲରେ ପରାଜିତ ହୋଇଥିଲା। ୪ର୍ଥ ମ୍ୟାଚରେ ଅଧିନାୟିକା ରାଣୀଙ୍କ ଗୋଲ ବଳରେ ଭାରତ ୧-୦ ଗୋଲରେ ଗ୍ରେଟ୍ ବ୍ରିଟେନକୁ ହରାଇଥିବାବେଳେ ଶେଷ ମ୍ୟାଚରେ ନ୍ୟୁଜିଲାଣ୍ଡ ଜାତୀୟ ଦଳକୁ ହରାଇ ମନୋବଳ ଦୃଢ଼ କରିଛି।
ପୂରା ସିରିଜରେ ଭାରତୀୟ ଦଳ ଚାପକୁ ଭଲଭାବେ ହାତେଇବା ସହ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା। ମ୍ୟାଚଟି ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ପ୍ରଭାବୀ ପ୍ରଦର୍ଶନ କରିଥିଲା। ୪୫ତମ ମିନିଟରେ ନଭନୀତ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ନ୍ୟୁଜିଲାଣ୍ଡ ଗୋଲ ପରିଶୋଧ ଚକ୍କରରେ ଥିବାବେଳେ ୫୪ତମ ମିନିଟରେ ଶର୍ମିଳା ଏହାକୁ ୨-୦ରେ ପରିଣତ କରିଥିଲେ। ମ୍ୟାଚ ଶେଷହେବାର ୨ ମିନିଟ ପୂର୍ବରୁ ଅର୍ଥାତ୍ ୫୮ତମ ମିନିଟରେ ନଭନୀତ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ଭାରତର ବିଜୟକୁ ଏକପ୍ରକାର ନିଶ୍ଚିତ କରିଦେଇଥିଲେ। ଶେଷ ୨ ମିନିଟରେ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ଖେଳିଥିଲେ ହେଁ ଭାରତୀୟ ଡିଫେନ୍ସ ବିଭାଗ ସଫଳତାର ସହ ତାହାକୁ ପ୍ରତିହତ କରିଥିଲା। ”ଭାରତୀୟ ଦଳ ସଫଳତାର ସହ ନ୍ୟୁଜିଲାଣ୍ଡ ଟୁର୍ ଶେଷ କରିଥିବାରୁ ମୁଁ ବହୁତ ଖୁସୀ। ବିଶେଷକରି ଶେଷ ମ୍ୟାଚରେ ୩ ଗୋଲ ମୋତେ ଆନନ୍ଦିତ କରିଛି। କେଉଁ ବିଭାଗରେ ଆମର ଦୁର୍ବଳତା ଅଛି ତାହା ଏହି ସିରିଜରୁ ଜଣାପଡ଼ିଛି। ଆମେ ତାକୁ ଧ୍ୟାନରେ ରଖି ଅଭ୍ୟାସ କରିବୁ“ ବୋଲି କୋଚ୍ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି। ଭାରତୀୟ ଦଳ ଶୁକ୍ରବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ।