India Test Matches
ଭୁବନେଶ୍ୱର, ୩।୧(କ୍ରୀଡ଼ା ପ୍ରତିନିଧି)- ବର୍ଷ ଆରମ୍ଭରୁ ଓଡ଼ିଶା ହକି ପାଇଁ ଆସିଛି ଏକ ଖରାପ ଖବର। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଓଡ଼ିଶାର ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁରେ ଆଘାତ ଜନିତ ସମସ୍ୟା ଯୋଗୁ ସେ କ୍ୟାରିୟର ଅଧାରୁ ଅବସର ନେବାକୁ ବାଧ୍ୟ ହେଉଛନ୍ତି ବୋଲି ଭାବବିହ୍ବଳ କଣ୍ଠରେ ପ୍ରକାଶ କରିଛନ୍ତି। ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ସୁନୀତା ଦୀର୍ଘଦିନଧରି ହକିରୁ ଦୂରେଇ ରହିଥିଲେ। ଏବେ ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକ ଥିବା ଡାକ୍ତରଙ୍କଠାରୁ ଜାଣିବା ପରେ ଅନ୍ତର୍ଜାତୀୟ ହକିରୁ ଅବସର ନେବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ଏହି ଓଡ଼ିଆ ଡିଫେଣ୍ଡର। ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ସୁନୀତା ୨୦୧୮ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ରହିଥିଲେ। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସ୍ବପ୍ନ ରହିଥିଲେ ମଧ୍ୟ ଆଘାତଜନିତ ସମସ୍ୟା ଏଥିରେ ବାଧକ ସୃଷ୍ଟି କଲା ବୋଲି ୨୮ ବର୍ଷୀୟା ଏହି ରାଜଗାଙ୍ଗପୁର ଖେଳାଳି କହିଛନ୍ତି।
‘ଅନ୍ତର୍ଜାତୀୟ ହକିରୁ ଅବସର ନିଷ୍ପତ୍ତି ମୋ ପାଇଁ ସହଜ ନ ଥିଲା। ୨୦୦୮ରୁ ଭାରତୀୟ ମହିଳା ହକି ଦଳ ସହ ମୁଁ ଏହି ଚମତ୍କାର ଯାତ୍ରାରେ ସାମିଲ ରହିଥିଲି। ଏହି ଯାତ୍ରା ମଧ୍ୟରେ ଆମେ ଅନେକ ସଫଳତା ଓ ବିଫଳତାର ସାମ୍ନା କରିଛୁ, କିନ୍ତୁ ଗୋଟିଏ ୟୁନିଟ୍ ରୂପେ ଏକାଠି ରହିଛୁ। ଦେଶ ପାଇଁ ସଫଳତା ଆଣିବା ଲାଗି ଏହା ଆମକୁ ମଜଭୁତ ରଖିବା ସହ ଲଢ଼େଇ କରିବାକୁ ଶକ୍ତି ଓ ପ୍ରେରଣା ଦେଇଥିଲା’ ଅତ୍ୟନ୍ତ ଭାବପ୍ରବଣ ବୋଲି ସୁନୀତା ପ୍ରକାଶ କରିଛନ୍ତି। ‘୨୦୧୬ ରିଓ ଅଲିମ୍ପିକ୍ସ ଖେଳିଥିବାରୁ ନିଜକୁ ଭାଗ୍ୟଶାଳୀ ମନେକରୁଛି। ତିନି ଦଶନ୍ଧି ପରେ ଅଲିମ୍ପିକ୍ସରେ ଭାରତର ଏହା ପ୍ରଥମ ଅଂଶଗ୍ରହଣ ରହିଥିଲା। ଭାରତୀୟ ମହିଳା ହକି ପାଇଁ ଏହା ଐତିହାସିକ ମୁହୂର୍ତ୍ତ ଥିଲା । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟା ହେବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ଆଣ୍ଠୁ ସମସ୍ୟା ମୋ ସ୍ବପ୍ନକୁ ଛୋଟ କରିଦେଲା’ ବୋଲି ସୁନୀତା ପ୍ରକାଶ କରିଛନ୍ତି। ତେବେ ଭାରତୀୟ ମହିଳା ହକି ଦଳ ଆହୁରି ଅଧିକ କିଛି ହାସଲ କରିପାରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି। ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଗାମୀ ଦିନରେ ଆଣ୍ଠୁରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକତା ଥିବାରୁ ପୂରା ସୁସ୍ଥ ହେବାକୁ ମୋତେ କେତେ ସମୟ ଲାଗିବ ମୁଁ ନିଶ୍ଚିତ ନୁହେଁ। କିନ୍ତୁ ଅସ୍ତ୍ରୋପଚାର ପରେ ଘରୋଇ ହକି ଓ ମୋତେ ଚାକିରି ଦେଇ କ୍ୟାରିୟର ଗଢ଼ିତୋଳିବାରେ ସମର୍ଥନ କରିଥିବା ନାଲ୍କୋ ପକ୍ଷରୁ ଖେଳିବି। ଖେଳରେ ମୁଁ ବହୁତ ବାଟ ଯାତ୍ରା କରିଛି ଏବଂ ଭାରତୀୟ ଦଳ ସହ ବିତେଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତ ସାଥିରେ ନେଇ ଯାଉଛି’ ବୋଲି ସୁନୀତା କହିଛନ୍ତି।