ଓ୍ବାଶିଂଟନ,୧୪।୪:ପପ୍ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍ ବେଜୋସ୍ଙ୍କ ବ୍ଲ୍ୟୁ ଅରିଜିନ୍ର ସ୍ପେସ୍କ୍ରାଫ୍ଟ ସୋମବାର ମହାକାଶକୁ ଯାଇଛି। ସେଲିବ୍ରିଟଙ୍କ ସହ ବେଜୋସ୍ଙ୍କ ପ୍ରେମିକା ଲୌରେନ୍ ସାଞ୍ଚେଜ୍ ମଧ୍ୟ ମହାକାଶ ଯାଇଛନ୍ତି। ପୂର୍ବରୁ କେବଳ ପେସାଦାର ମହାକାଶଚାରୀମାନେ ମାଧ୍ୟାକର୍ଷଣଶୂନ୍ୟ ଅଞ୍ଚଳରେ ପ୍ରବେଶ ସୁଯୋଗ ପାଉଥିବାବେଳେ ସ୍ପେସ୍ ଟ୍ୟୁରିଜମ୍ ଅନ୍ୟମାନଙ୍କୁ ଏହି ସୁଯୋଗ ଦେଇଛି। ଧନୀ ଏବଂ ପ୍ରସିଦ୍ଧି ଲାଭ କରିଥିବା ଲୋକମାନେ ମହାକାଶକୁ ଯାଇପାରୁଛନ୍ତି। ମହିଳା ସେଲିବ୍ରିଟିମାନଙ୍କୁ ନେଇ ନ୍ୟୁ ଶେପାର୍ଡ ରକେଟ୍ ସ୍ଥାନୀୟ ସମୟ ସକାଳ ୯ଟା ୩୧ ମିନିଟ୍ (ଭାରତୀୟ ସମୟ ରାତି ୭ଟା)ରେ ଓ୍ବେଷ୍ଟ ଟେକ୍ସାସ୍ରୁ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହା ୧୦୭ କିଲୋମିଟର ଅତିକ୍ରମ କରିବା ପରେ ସେଲିବ୍ରିଟିମାନେ ଓଜନହୀନତାର ଅନୁଭୂତି ହାସଲ କରିବେ। ସାଞ୍ଚେଜ୍ ଜଣେ ହେଲିକପ୍ଟର ପାଇଲଟ୍ ଏବଂ ପୂର୍ବତନ ଟିଭି ଜର୍ନାଲିଷ୍ଟ ହୋଇଥିବାବେଳେ ପେରୀ ଜଣେ ଖ୍ୟାତନାମା ଗାୟିକା। ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମ ନିର୍ମାତା କେରିଆନେ ଫ୍ଲିନ୍, ନାସାର ପୂର୍ବତନ ଇଞ୍ଜିନିୟର ଐଶା ବୋଓ୍ବେ ଏବଂ ବୈଜ୍ଞାନିକ ଆମଣ୍ଡା ଏନ୍ଗୁୟେନ ରହିଛନ୍ତି।