ମହିଳା ସୁରକ୍ଷା ନାଁରେ ସରକାର ଭୁଆଁ ବୁଲାଉଛନ୍ତି ଜିଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

ନୂଆପଡ଼ା,୧୦ା୩ (ମକାରୁ ବେମାଲ): ରାଜ୍ୟରେ ଏସ୍‌ସି,ଏସ୍‌ଟି, ଓବିସି ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏହାକୁ ନେଇ ସୋମବାର ଜିଲା କଂଗ୍ରେସ କମିଟି ରାସ୍ତାକୁ ଓହ୍ଲାଇଛି। ସଭାପତି ସୁରେଶ ଆଜାଦଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କର୍ମକର୍ତ୍ତା ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତଙ୍କୁ ପ୍ରଦାନ କରିଥିଲେ ା
କର୍ମକର୍ତ୍ତା ଦର୍ଶାଇଥିଲେ, ରାଜ୍ୟରେ ଭାଜପା ସରକାର ଆସିଲା ଦିନଠାରୁ ଅପରାଧ ବଢିବାରେ ଲାଗିଛି। ବିଶେଷକରି ଆଦିବାସୀ, ହରିଜନ ଓ ପଛୁଆବର୍ଗର ମହିଳା, ଶିଶୁ ଓ ନାବାଳିକାଙ୍କ ଉପରେ ଅତ୍ୟାଚାର ବଢୁଛି। ଥାନାକୁ ଏତଲା ଦେବାକୁ ଗଲେ ତାହା ରଖାଯାଉ ନାହିଁ। ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୩୬ ହଜାର ୪୨୦ ଜଣ ମହିଳା, ୮ ହଜାର ୪୦୩ ଜଣ ଶିଶୁ ଓ ନାବାଳିକା ବଳାତ୍କାର ଓ ହତ୍ୟାର ଶିକାର ହୋଇଛନ୍ତି। ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିଲେ ମଧ୍ୟ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ମହିଳା ସୁରକ୍ଷା ନାଁରେ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ା ଏଣୁ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସହ ବିଦ୍ୟାଳୟ ଯାଉଥିବା ଛାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଏହି ସମୟରେ ପୂର୍ବତନ ଜିଲା ସଭାପତି ଘାସିରାମ ମାଝି, ଜିଲା ପରିଷଦ ସଦସ୍ୟ ଭରତଲାଲ ରାଉତ, ଖଡିଆଳ ବିଧାନ ସଭା ପ୍ରାର୍ଥୀ କମଳ ଚରଣ ତାଣ୍ଡି, ଜୁନେଦ ମହମ୍ମଦ, ଶାହରୁଖ ଖାନ, ଯୁବ କଂଗ୍ରେସ ଜିଲା ସଭାପତି ଅମିତ କୁମାର ଅହିର, ଅଭୟ ଶଙ୍କର ଯୋଶୀ, ଦେବଦତ୍ତ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ ା