Categories: Home Leftଖେଳ

ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ହାରିଲା ଭାରତ

ମେଲବୋର୍ନ, ୭।୨- ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଭାରତୀୟ ଦଳ ଶୁକ୍ରବାର ଦ୍ୱିତୀୟ ପରାଜୟବରଣ କରିଛି। ଇଂଲଣ୍ଡ ଦଳ ୪ ଉଇକେଟରେ ଭାରତକୁ ହରାଇ ଦେଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶନିବାର ତା’ର ଅନ୍ତିମ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆକୁ ଭେଟିବ।
ଟସ୍‌ ଜିତି ଇଂଲଣ୍ଡ ଅଧିନାୟିକା ହେଥର ନାଇଟ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୨୩ ରନ୍‌ କରିଥିଲା। ଦଳ ପାଇଁ ସ୍ମୃତି ମନ୍ଧାନା ୪୫, ଜେମିମା ରୋଡ୍ରିଗୁଏଜ ୨୩ ଓ ଅଧିନାୟିକା ହରମନପ୍ରୀତ ୧୪ ରନ୍‌ କରିଥିଲେ। ଏମାନଙ୍କ ଛଡ଼ା ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଇଂଲଣ୍ଡ ପକ୍ଷରୁ ଆନ୍ୟା ଶରୁବସୋଲ ୩ ଓ କାଥେରିନ ବ୍ରୁଣ୍ଟ ୨ ଉଇକେଟ ହାସଲ କରିଥିଲେ। ଜବାବରେ ଇଂଲଣ୍ଡ ଇନିଂସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮ ରନ୍‌ରେ ୩ ଉଇକେଟ ହରାଇ ସାରିଥିଲା। ମାତ୍ର ନାଟାଲି ସ୍କିଭର ବିସ୍ଫୋରକ ୫୦ ରନ୍‌ ସ୍କୋର କରିଥିଲେ। ତାଙ୍କୁ ଅଧିନାୟିକା ନାଇଟ୍‌ ୧୮ ଓ ଫ୍ରାନ ଓ୍ବିଲସନ (୨୦) ଉପଯୁକ୍ତ ସହଯୋଗ କରିଥିଲେ। ଫଳରେ ଇଂଲଣ୍ଡ ୧୮.୫ ଓଭରରେ ୬ ଉଇକେଟ କ୍ଷତିରେ ୧୨୪ ରନ୍‌ କରି ମ୍ୟାଚ୍‌ ଜିତିନେଇଛି। ଟିମ୍‌ ଇଣ୍ଡିଆ ଲାଗି ରାଜେଶ୍ୱରୀ ଗାଏକ୍ୱାଡ ୩ ଉଇକେଟ ନେଇଥିଲେ।

Share