SYDNEY, AUSTRALIA - JANUARY 29: Meg Lanning, Rachel Haynes Alyssa Healy, Nicola Carey and Ashleigh Gardner pose during the ICC T20 World Cup Fixture Announcement at Sydney Cricket Ground on January 29, 2019 in Sydney, Australia. (Photo by Brook Mitchell/Getty Images)
ଦୁବାଇ,୯।୯- ଥାଇଲାଣ୍ଡ ଓ ବାଂଲାଦେଶ ଦମ୍ଦାର ପ୍ରଦର୍ଶନ କରି ଯୋଗ୍ୟତା ହାସଲ କରିବା ପରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଆଗାମୀ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୦ ମହିଳା ଟି୨୦ ବିଶ୍ୱକପ୍ର କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଆଇସିସି ତରଫରୁ ରବିବାର ଏ ନେଇ ଘୋଷଣା କରାଯାଇଛି। ସ୍କଟଲାଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ ଇଭେଣ୍ଟରେ ବିଜୟୀ ହେବା ପରେ ବାଂଲାଦେଶ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସହ ବାଂଲାଦେଶ ଗ୍ରୁପ୍ ଏ’ରେ ସ୍ଥାନ ପାଇଛି। ଅନ୍ୟପଟେ ୧୨ ବର୍ଷ ତଳେ ପ୍ରଥମ ଓ ଶେଷଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଥାଇଲାଣ୍ଡ ମହିଳା ଦଳ ଏଥର ଟି୨୦ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରି ଇତିହାସ ସୃଷ୍ଟି କରିଛି। ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ସହ ଥାଇଲାଣ୍ଡ ଗ୍ରୁପ୍ ବି’ରେ ସାମିଲ ହୋଇଛି।
ବିଶ୍ୱକପ୍ ଖେଳିବାକୁ ବାଂଲାଦେଶ ଓ ଥାଇଲାଣ୍ଡକୁ ଆମେ ସ୍ବାଗତ କରୁଛୁ ବୋଲି ୨୦୨୦ ଆଇସିସି ଟି୨୦ ବିଶ୍ୱକପ୍ ଲୋକାଲ ଅର୍ଗାନାଇଜିଂ କମିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍ ହୋକେଲେ କହିଛନ୍ତି। କ୍ୱାଲିଫାଇଙ୍ଗ୍ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଥାଇଲାଣ୍ଡ ୭୦ ରନରେ ବାଂଲାଦେଶଠାରୁ ପରାସ୍ତ ହୋଇ ରନର୍ସଅପ୍ ହୋଇଥିଲା। ବିଶ୍ୱକପ୍ରେ ଥାଇଲାଣ୍ଡ ତା’ର ପ୍ରଥମ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍କୁ ଆସନ୍ତା ଫେବୃୟାରୀ ୨୨ ତାରିଖରେ ଭେଟିବ। ସେହିପରି ବାଂଲାଦେଶ ଫେବୃୟାରୀ ୨୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ।
ଓ୍ବେଷ୍ଟଇଣ୍ଡିଜ୍ରେ ୨୦୧୮ ଅନୁଷ୍ଠିତ ଟି୨୦ ବିଶ୍ୱକପ୍ରେ ଶ୍ରେଷ୍ଠ ୮ଟି ସ୍ଥାନ ଅଧିକାର କରିଥିବା ଦଳଗୁଡିକ ସିଧାସଳଖ ଏହି ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ଓ ଅଷ୍ଟ୍ରେଲିଆ ଫେବୃୟାରୀ ୨୧ ତାରିଖରେ ମୁହଁାମୁହିଁ ହେବେ। ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ବିଶ୍ୱକପ୍ର ଫାଇନାଲ ମ୍ୟାଚ ଖେଳାଯିବ।
ପରେ ଏହି ବର୍ଷ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ୨୦୨୦ ମଧ୍ୟ ଆୟୋଜନ ହେବ। ଏହା ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୧୫ରେ ଶେଷ ହେବ। ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ସେହିପରି ଏହିଦିନ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ।