ମହିଳାଙ୍କୁ ବଳାତ୍କାର କରି ଓଏସ୍‌ଏପି ସିପାହି ଗିରଫ: ପୂର୍ବରୁ ମଧ୍ୟ ଗିରଫ ସହ ନିଲମ୍ବିତ ହୋଇଥିଲେ

ଭୁବନେଶ୍ୱର, ୯ା୨(ବ୍ୟୁରୋ): ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ନୟାପଲୀ ଥାନା ପୋଲିସ ଶନିବାର ଆଉଜଣେ ପୋଲିସ କର୍ମଚାରୀକୁ ଗିରଫ କରିଛି। ସେ ହେଲେ କୋରାପୁଟସ୍ଥିତ ତୃତୀୟ ଓଏସ୍‌ଏପି ବାଟାଲିୟନର ସିପାହି ରାଜକିଶୋର ଭୋଇ (୨୯)। ତାଙ୍କ ଘର ବଲାଙ୍ଗୀର ଜିଲା ଆମ୍ବ୍ରପଲ୍ଲୀ ଗ୍ରାମରେ। ପୋଲିସ ତାଙ୍କ ବିରୋଧରେ ଆଇପିସି ଦଫା ୪୫୦, ୩୭୬, ୫୦୬ରେ କେସ୍‌ ନଂ.୬୪୮/୨୦୨୦ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ମହିଳା ଜଣକ ନୟାପଲୀ ଥାନା ଅଞ୍ଚଳରେ ପରିବାର ସହ ରହୁଥିବାବେଳେ ତାଙ୍କର ଏକ ପିଲା ଅଛନ୍ତି। ୨୦୧୨ରେ ଇନ୍‌ସ୍ୟୁରାନ୍ସ କରାଇବା ପାଇଁ ସେ ଭୁବନେଶ୍ୱରସ୍ଥିତ ଓଏସ୍‌ଏପି ବାଟାଲିୟନକୁ ଯାଇଥିବାବେଳେ ରାଜକିଶୋରଙ୍କ ସହ ପରିଚିତ ହୋଇଥିଲା। ରାଜକିଶୋର ଉକ୍ତ ମହିଳାଙ୍କୁ ଭଲପାଇବା ସହ ଫୋନ୍‌ କରି କଥା ହେଉଥିଲେ। ହେଲେ ସ୍ବାମୀଙ୍କ ତାଗିଦ୍‌ ପରେ ମହଳା ଜଣକ ଆଉ ରାଜକିଶୋରଙ୍କ ଫୋନ୍‌ ଉଠାଇ ନ ଥିଲେ। ସେହିବର୍ଷ ମାର୍ଚ୍ଚ ମାସରେ ଉକ୍ତ ମହିଳା ଇନ୍‌ସ୍ୟୁରାନ୍ସ କାର୍ଯ୍ୟରେ ଯାଉଥିବାବେଳେ ଶହୀଦନଗର ଥାନା ଅଞ୍ଚଳରେ ରାଜକିଶୋର ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ମହିଳାଙ୍କ ଅଭିଯୋଗକ୍ରମେ ଶହୀଦନଗର ଥାନା ପୋଲିସ ଅଭିଯୁକ୍ତ ରାଜକିଶୋରଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ପୋଲିସ ଚାକିରିରୁ ନିଲମ୍ବନ କରାଯାଇଥିଲା। ଜେଲରୁ ଆସିବା ପରେ ସେ ପୁଣି ଚାକିରିରେ ଯୋଗଦେଇଥିଲେ। ହେଲେ ତାଙ୍କର ରଙ୍ଗିଲା ନିଶା ଛାଡ଼ି ନ ଥିଲା। ସେ ପୁଣି ଉକ୍ତ ମହିଳାଙ୍କ ପଛରେ ଲାଗି ପଡ଼ିଥିଲେ। ଘରେ କେହି ନ ଥିବାବେଳେ ରାଜକିଶୋର ଉକ୍ତ ମହିଳାଙ୍କୁ ବଳାତ୍କାର କରିଥିଲେ। ପରେ ପୀଡିତା ମହିଳା ଗତବର୍ଷ ଡିସେମ୍ବର ୧୨ରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଥିବାବେଳେ ଗିରଫ ଭୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଶୁକ୍ରବାର ରାତିରେ ସେ ନୟାପଲ୍ଲୀ ଆଇଆର୍‌ସି ଭିଲେଜ ନିକଟରେ ଥିବା ନେଇ ପୋଲିସ ଖବର ପାଇବା ପରେ ସେଠାରେ ଚଢ଼ାଉ କରି ରାଜକିଶୋରଙ୍କୁ ଗିରଫ କରିଛି।

ପ୍ରକାଶଯୋଗ୍ୟ, ଡେରାଡୁନର ଜଣେ ଯୁବତୀଙ୍କୁ ଭୁବନେଶ୍ୱରରେ ବଳାତ୍କାର କରିବା ଅଭିଯୋଗରେ ଗତ ୩ ତାରିଖରେ ନୟାପଲ୍ଲୀ ପୋଲିସ ସିଆର୍‌ପିଏଫ୍‌ର ଜଣେ ଯବାନକୁ ଗିରଫ କରିଥିବାବେଳେ ଗତ ୪ ତାରିଖରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର  ବଳାତ୍କାର କରିବା ଘଟଣାରେ ଏସ୍‌ଏସ୍‌ବିର ଜଣେ କନ୍‌ଷ୍ଟେବଳ ଗିରଫ ହୋଇଥିଲେ।