Categories: ଅନୁଗୋଳ

ମହିଳାଙ୍କୁ ଦୁର୍ବ୍ୟବହାର ସହ ଲୁଟ୍‌: ଅଭିଯୁକ୍ତଙ୍କୁ କାବୁ କରି ଛେଚିଲେ ଲୋକେ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ରେଳ ଷ୍ଟେଶନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜନୈକା ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସୋମବାର ବିଳମ୍ବିତ ରାତିରେ ଦୁର୍ବ୍ୟବହାର କରିବା ସହ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟେଶନରେ ଥିବା ଅନ୍ୟ ଲୋକମାନେ ସମ୍ପୃକ୍ତ ଯୁବକଙ୍କୁ ଧରି ମାଡ଼ ମାରିବା ପରେ ଆର୍‌ପିଏଫ୍‌କୁ ହସ୍ତାନ୍ତର କରିଥିଲେ। ଏ ନେଇ ଷ୍ଟେଶନରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମହିଳା ଜଣକ ଜିଲା ବାହାରର ହୋଇଥିବାରୁ ସେ ଘଟଣା ସମ୍ପର୍କରେ ଅଭିଯୋଗ ନ କରିବାରୁ ଆରପିଏଫ୍‌ ଅଟକ ଯୁବକଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମହିଳା ଜଣକ ଚିକିତ୍ସା ପାଇଁ ଆସିଥିଲେ। ମେଡିକାଲରୁ ଡିସ୍‌ଚାର୍ଜ ପରେ ସେ ଘରକୁ ଫେରିବାକୁ ସ୍ବାମୀଙ୍କ ସହ ଷ୍ଟେଶନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସେ ମହିଳା ପ୍ରତୀକ୍ଷାଳୟରେ ଶୋଇଥିବା ବେଳେ ତାଙ୍କ ସ୍ବାମୀ ପ୍ଲାଟଫର୍ମରେ ବସିଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସମ୍ପୃକ୍ତା ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ମହିଳା ଜଣକ ପାଟି କରିବାରୁ ଯୁବକ ଜଣଙ୍କ ଏକ ପଲିଥିନ୍‌ ବ୍ୟାଗ ନେଇ ଦୌଡ଼ି ପଳାଇଥିଲେ। ପ୍ଲାଟଫର୍ମରେ ଥିବା ଲୋକମାନେ ଯୁବକଙ୍କୁ କାବୁ କରିବା ସହ ମାଡ଼ ମାରି ଆର୍‌ପିଏଫ୍‌କୁ ହସ୍ତାନ୍ତର କରିଥିଲେ। ରେଳବାଇ ଥାନାରେ ଅଭିଯୋଗ କରିବାକୁ ମହିଳା ଜଣଙ୍କୁ ବୁଝାଶୁଝା କରାଯାଇଥିଲେ ବି ସେ ଅଭିଯୋଗ ନ କରିବାରୁ ଯୁବକ ଜଣଙ୍କୁ ଦୀର୍ଘ ସମୟ ଅଟକ ରଖିବା ପରେ ଛାଡ଼ି ଦିଆଯାଇଥିବା ଆରପିଏଫ୍‌ ଅଧିକାରୀ ପ୍ରବୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି।