FILE PHOTO: Traffic jam is seen as the banks of the Seine river are closed to the traffic in Paris, France, October 26, 2016 . REUTERS/Charles/File Photo
ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ି କିଣାକୁ ନିରୁତ୍ସାହିତ କରିବା ତଥା ପୁରୁଣା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ସଡ଼କରୁ ହଟାଇବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପାରମ୍ପରିକ ଇନ୍ଧନରେ ଚାଲୁଥିବା ଗାଡ଼ିର ନୂଆ ପଞ୍ଜୀକରଣ ଓ ପୁରୁଣାର ନବୀକରଣ ଚାର୍ଜକୁ ବହୁଗୁଣ ବଢ଼ାଇ ଦେବା ଲାଗି ଚିଠା ବିଜ୍ଞପ୍ତି ଜାରି କରି ପ୍ରସ୍ତାବ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ନୂଆ ଦୁଇ ଚକିଆ ଯାନ ଲାଗି ପଞ୍ଜୀକରଣ ଚାର୍ଜ ବର୍ତ୍ତମାନର ୫୦ ଟଙ୍କା ବଦଳରେ ୧୦୦୦ ଟଙ୍କା,୩ଚକିଆ ପାଇଁ ୫ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), ଏଲ୍ଏମ୍ଭି ବ୍ୟକ୍ତିଗତ(କାର୍/ଜିପ୍) ୫ ହଜାର ଟଙ୍କା(ପୂର୍ବରୁ ୬ଶହ ଟଙ୍କା), ଏଲ୍ଏମ୍ଭି କମର୍ସିଆଲ ପାଇଁ ୧୦ହଜାର ଟଙ୍କା(ପୂର୍ବରୁ ୧ ହଜାର ଟଙ୍କା), ମିଡିୟମ ଏବଂ ହେଭି ଭେହିକିଲ୍(ଗୁଡ୍ସ ଏବଂ ପାସେଞ୍ଜର) ପାଇଁ ୨୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଶୁଳ୍କ ଆଦାୟ କରାଯିବ। ୧୫ ବର୍ଷ ପୁରୁଣା ଗାଡ଼ିର ନବୀକରଣକୁ ନିରୁତ୍ସାହିତ କରିବାକୁ ଯାଇ ୨ ଚକିଆ ଗାଡ଼ି ଲାଗି ଶୁଳ୍କ ୨୦୦୦ ଟଙ୍କା(ପୂର୍ବରୁ ୫୦ଟଙ୍କା),୩ଚକିଆ ପାଇଁ ୧୦ ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), କାର୍/ଜିପ ପାଇଁ ୧୫ ହଜାର ଟଙ୍କା(ପୂର୍ବରୁ ୬୦୦ଟଙ୍କା), କମର୍ସିଆଲ ଗାଡିରୁ ୨୦ ହଜାର ଟଙ୍କା(ପୂର୍ବରୁ ୧ହଜାର ଟଙ୍କା), ମିଡିୟମ ଏବଂ ହେଭି ଗାଡି ପାଇଁ ୪୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଆଦାୟ କରାଯିବ। ସେହିପରି ୧୫ ବର୍ଷ ପୁରୁଣା ଗାଡ଼ି ଲାଗି ପ୍ରତି ୬ ମାସରେ ଫିଟ୍ନେସ୍ ସାର୍ଟିଫିକେଟ ନେବାକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ବର୍ଷକରେ ଥରେ ଫିଟ୍ନେସ୍ ସାର୍ଟିଫିକେଟ ନେବାକୁ ପଡୁଥିଲା। ପ୍ରସ୍ତାବ ଅନୁଯାୟୀ, କ୍ୟାବ୍ର ପଞ୍ଜୀକରଣ ତଥା ନବୀକରଣ ଚାର୍ଜ କ୍ରମଶଃ ୧୦ ହଜାର ଏବଂ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୧ ହଜାର ଟଙ୍କା ଥିଲା। ଚିଠା ବିଜ୍ଞପ୍ତି ଅନୁଯାୟୀ ଆମଦାନୀ ହେଉଥିବା ଗାଡ଼ିର ପଞ୍ଜୀକରଣ ଚାର୍ଜ ୫ ହଜାର ଟଙ୍କାରୁ ବୃଦ୍ଧି କରି ୪୦ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଆମଦାନୀ ହେଉଥିବା ଦୁଇଚକିଆ ଗାଡ଼ିର ପଞ୍ଜୀକରଣ ଚାର୍ଜକୁ ବର୍ତ୍ତମାନର ୨୫୦୦ ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ୪୦ରୁ ୪୫ ଦିନ ଭିତରେ ଚୂଡାନ୍ତ ନିୟମ ଘୋଷଣା କରାଯିବ। ଏଥିପୂର୍ବରୁ ସମସ୍ତ ହିତାଧିକାରୀଙ୍କ ଠାରୁ ସେମାନଙ୍କର ମତାମତ ଲୋଡାଯାଇଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, କମର୍ସିିଆଲ ଗାଡ଼ି ବିଶେଷକରି ବସ୍,ଟ୍ରକ ତଥା ଅନ୍ୟ ଗାଡ଼ିର ନବୀକରଣ ଚାର୍ଜକୁ ୨୭ ଗୁଣା ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ୧୫ ବର୍ଷ ପୁରୁଣା ଗାଡ଼ିକୁ ଏହାର ମାଲିକଙ୍କ ଦ୍ୱାରା କବାଡି ବାଲାକୁ ବିକ୍ରି କରିବାକୁ ବାଧ୍ୟ କରାଯିବ।