Categories: ବରଗଡ଼

ମଧ୍ୟପ୍ରଦେଶରେ ଫସିଛନ୍ତି ୧୪ ଶ୍ରମିକ: ଉଦ୍ଧାର ପାଇଁ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୫।୫-ସାରା ଦେଶରେ ଲକ ଡାଉନ ଜାରି ରହିଛି। ଏପରିସ୍ଥିତିରେ ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟପ୍ରଦେଶ ଯାଇଥିବା ବରଗଡ଼ ଓ ସୁନ୍ଦରଗଡ଼ ଜିଲାର ୧୪ ଜଣ ଶ୍ରମିକ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉକ୍ତ ଶ୍ରମିକମାନେ ଉଭୟ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
ସୂଚନା ମୁତାବକ, ବରଗଡ଼ର ୫ ଏବଂ ସୁନ୍ଦରଗଡ଼ର ୯ଜଣ ଶ୍ରମିକ ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟପ୍ରଦେଶ ରାଜ୍ୟର ଧର ଜିଲା ମନୱାର ବ୍ଲକ ତୋନକି ନିକଟରେ ଥିବା ଏକ ସିମେଣ୍ଟ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। ମାତ୍ର ଲକ୍‌ ଡାଉନ୍‌ ପରେ ସେଠାରେ କାମ ବନ୍ଦ ହୋଇଯାଇଛି। ଫଳରେ ସେମାନଙ୍କ ରୋଜଗାର ଠପ ହୋଇପଡ଼ିଛି। ଅପରପକ୍ଷେ ସେମାନେ ରହୁଥିବା ଅଞ୍ଚଳ ରେଡ୍‌ଜୋନ୍‌ ମଧ୍ୟରେ ରହିଛି। ଫଳରେ ଶ୍ରମିକମାନେ ସେଠାରୁ ବାହାରି ପାରୁ ନ ଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ ସେଠାରୁ ବରଗଡ଼ ପ୍ରାୟ ୧୧୦୦ କି.ମି ଦୂର ହୋଇଥିବାବେଳେ ଗାଡ଼ି ଭଡ଼ା ଖର୍ଚ୍ଚ ପାଇଁ ସେମାନଙ୍କ ପାଖରେ ସମ୍ବଳ ନ ଥିବା ପ୍ରକାଶ କରିଛନ୍ତି। ଉକ୍ତ ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ସମ୍ପୃକ୍ତ ଶ୍ରମିକଙ୍କୁ ଘରକୁ ଆଣିବା ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।

Share