ଭାରତ ବିପକ୍ଷ ଘରୋଇ ସିରିଜ ପରାଜୟ ନର୍ଣ୍ଣାୟକ ଥିଲା: ଲାଙ୍ଗର

ସିଡନୀ,୧୧।୪(ପି.ଟି.): ୧୦୧୮-୧୯ରେ ଭାରତଠାରୁ ଅଷ୍ଟ୍ରେଲିଆ ନିଜ ମାଟିରେ ଟେଷ୍ଟ ସିରିଜ ପରାଜୟ ବରଣ କରିଥିଲା। ଏହା ମୋ କୋଚିଂ କ୍ୟାରିୟରର ନିର୍ଣ୍ଣାୟକ ମୁହୂର୍ତ୍ତ ତଥା ସବୁଠାରୁ ଖରାପ ସମୟ ଥିଲା ଓ ଏହା ମଧ୍ୟ ଏକ ଚେତାବନୀ ସଦୃଶ ଥିଲା ବୋଲି ଜଷ୍ଟିନ୍‌ ଲାଙ୍ଗର କହିଛନ୍ତି।
୨୦୧୮ ମେ’ରେ ଲାଙ୍ଗର ଅଷ୍ଟ୍ରେଲିଆର କୋଚ୍‌ ନିଯୁକ୍ତ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ ଟାଉନ୍‌ ଟେଷ୍ଟରେ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଅଧିନାୟକ ଷ୍ଟିଭ ସ୍ମିଥ୍‌ ଓ ତାଙ୍କ ଡେପୁଟି ଡେଭିଡ ଓ୍ବାର୍ନର ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବର୍ଷ ବାସନ୍ତ ହୋଇଥିଲେ। ଏହାପରେ ଲାଙ୍ଗରଙ୍କୁ କୋଚିଂ ଦାୟିତ୍ୱ ମିଳିଥିଲା। ଏହି ଦୁଇ ତାରକା ବ୍ୟାଟ୍ସମ୍ୟାନଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି ସରିଜ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧିକ ଭାରତ ୨-୧ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ସୃଷ୍ଟି କରିଥିଲା। ଏହା ମୋ ଜୀବନର ସବୁଠାରୁ ଖରାପ୍‌ ସମୟ ଥିଲା ବୋଲି ଲାଙ୍ଗର ସ୍ବୀକାର କରିଛନ୍ତି। ଅବଶ୍ୟ ଏହା ନିର୍ଣ୍ଣାୟକ ସମୟ ଥିଲା ଏହାପରଠାରୁ କୋଚିଂ କ୍ୟାରିୟର ଭିନ୍ନ ମୋଡ ନେଇଥିଲା।
ସେହିପରି ୨୦୦୧ ଆସେଶ ଆରମ୍ଭ ହେବା ପୂର୍ବରୁ ମୋତେ ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ଦିଆଯାଇଥିଲା। ଏହା ମଧ୍ୟ ମୋ ପାଇଁ ଅନ୍ୟତମ କଷ୍ଟକର ମୁହୂର୍ତ୍ତ ଥିଲା ବୋଲି ଲାଙ୍ଗର କହିଛନ୍ତି। ସାଧାରଣତଃ ୩ ନମ୍ବରରେ ଲାଙ୍ଗର ବ୍ୟାଟିଂ କରିଥାନ୍ତି। ତେବେ ମାଥ୍ୟୁ ହେଡେନଙ୍କ ସହ ତାଙ୍କୁ ଇନିଂସ ଓପନ୍‌ କରିବା ପାଇଁ ଦଳରେ ନିଆଯାଇଥିଲା। ଏହା ତାଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ପରେ ଲାଙ୍ଗର ଅଷ୍ଟ୍ରେଲିଆର ଅନ୍ୟତମ ସଫଳତମ ଓପନ ସାବ୍ୟସ୍ତ ହୋଇଥିଲେ। ମୋଟ ୨୩ଟି ଶତକ ମଧ୍ୟ ଓପନର ହିସାବରେ ସେ ୧୬ଟି ଶତକ ହାସଲ କରିଥିଲେ। ୨୦୦୧ରେ ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ପଡିଥିଲି ଓ ସେତେବେଳେ ମୋତେ ୩୧ ବର୍ଷ ହୋଇଥିଲା। ସେତେବେଳେ କ୍ୟାରିୟର ଶେଷ ହେଲା ବୋଲି ଭାବିଥିଲି। ତେବେ ଏହି ଘଟଣା ମୋତେ ଜଣେ ଭଲ ମଣିଷ ହେବା ସଙ୍ଗେ ସଙ୍ଗେ କ୍ରିକେଟର ଭାବେ ଗଢି ତୋଳିଥିଲା। ପ୍ରତିକୂଳ ପରିସ୍ଥିତି ମଣିଷକୁ ବହୁତ ଶିକ୍ଷା ଦେଇଥାଏ। ଏବେ ମଧ୍ୟ ସାରା ବିଶ୍ୱ କରୋନା ଭାଇରସ୍‌ କାରଣରୁ ପ୍ରତିକୂଳ ପରସ୍ଥିତି ଦେଇ ଗତି କରୁଛି। ସମସ୍ତେ ଏହି ପରିସ୍ଥିତି ସହିତ ସାହାସର ସହିତ ଲଢେଇ ଜାରି ରଖିବା ଉଚିତ। ଏହା ମଣିଷ ଓ ସମାଜକୁ ଆହୁରି ଉତ୍ତମ କରି ଗଢି ତୋଳିବାରେ ସହାୟକ ହେବ ବୋଲି ଲାଙ୍ଗର କହିଛନ୍ତି।