HYDERABAD, INDIA - MARCH 01: Rishabh Pant of India ahead of game one of the One Day International series between India and Australia at Rajiv Gandhi International Cricket Stadium on March 01, 2019 in Hyderabad, India. (Photo by Robert Cianflone/Getty Images)
ନୂଆଦିଲ୍ଲୀ,୧୫।୫(ପି.ଟି.)- ଉଇକେଟକିପର ରିଦ୍ଧିମାନ ଶାହା ଭାରତ ଏ’ରେ ସାମିଲ ହୋଇଛନ୍ତି। ଭାରତ ଏ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରି ୫ଟି ଦିନିକିଆ ଓ ୩ଟି ୪ ଦିନିଆ ମ୍ୟାଚ୍ ଖେଳିବ। ଜୁଲାଇ ୧୧ ତାରିଖରୁ ପ୍ରଥମ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ। ସେହିପରି ୨୪ ତାରିଖରୁ ୪ ଦିନିଆ ମ୍ୟାଚ୍ ଆରମ୍ଭ ହେବ। ରିଦ୍ଧିମାନ ୪ ଦିନିଆ ମ୍ୟାଚ୍ ପାଇଁ ଦଳରେ ସାମିଲ ହୋଇଥିବାବେଳେ ପନ୍ତ ଦିନିକିଆ ଦଳରେ ସାମିଲ ହୋଇଛନ୍ତି। କାନ୍ଧରେ ଆଘାତ ସମସ୍ୟା କାରଣରୁ ଦଳରୁ ବାଦ୍ ପଡିବା ବେଳକୁ ରିଦ୍ଧିମାନ ଭାରତ ୧ ନମ୍ବର ଉଇକେଟ କିପର ସାବ୍ୟସ୍ତ ହୋଇଥିଲେ। ଅସ୍ତ୍ରୋପଚାର ପରେ ସେ ବେଙ୍ଗଲ ଦଳକୁ ପ୍ରତ୍ୟାବର୍ତ୍ତନ କରି ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଖେଳିଥିଲେ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ସଦ୍ୟସମାପ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ୫ଟି ମ୍ୟାଚ୍ ଖେଳିଥିଲେ। ଶାହାଙ୍କ ଅନୁପସ୍ଥିତିରେ ଯୁବ ଉଇକେଟକିପର ରିଷଭ ପନ୍ତ ଟେଷ୍ଟ ଦଳରେ ସ୍ଥାନ ପକ୍କା କରିଛନ୍ତି। ରିଦ୍ଧିମାନ ଏବେ ଚୟନକର୍ତ୍ତାକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ। ଦିନିକିଆ ଓ ୪ ଦିନିଆ ଦଳରେ ପୃଥ୍ବୀ ଶ, ମୟଙ୍କ ଅଗ୍ରଓ୍ବାଲ ଓ ହନୁମା ବିହାରୀ ମଧ୍ୟ ସାମିଲ ହୋଇଛନ୍ତି। ୪ ଦିନିଆରେ ଶ୍ରେୟାସ ଆୟର ଓ ଦିନିକିଆରେ ମନୀଷ ପାଣ୍ଡେ ନେତୃତ୍ୱ ନେବେ। ତେବେ ରବିଚନ୍ଦ୍ରନ ଅଶ୍ୱିନ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ ଓ ଉମେଶ ଯାଦବ କାଉଣ୍ଟି ଖେଳିବାର କାର୍ଯ୍ୟକ୍ରମ ଥିବାରୁ ଦଳରେ ସାମିଲ ହୋଇ ନାହାନ୍ତି।
ସେହିପରି ଚୟନକର୍ତ୍ତାମାନେ ମେ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ଏ ବିପକ୍ଷ ଘରୋଇ ସିରିଜ ପାଇଁ ଦଳ ଘୋଷଣା କରିଛନ୍ତି। ଝାଡଖଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ୨ଟି ୪ ଦିନିଆ ମ୍ୟାଚ୍ରେ ଭାରତ ଏ ଦଳର ନେତୃତ୍ୱ ନେବେ। ସେହିପରି ପ୍ରିୟଙ୍କ ପଞ୍ଚାଲ ଜୁନ୍ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନେତୃତ୍ୱ ନେବେ।