Categories: Home Leftଖେଳ

ଭାରତୀୟ ଜୁନିୟର ହକି ଦଳର କୋଚ୍‌ ଦୌଡ଼ରେ ହରେନ୍ଦ୍ର

ନୂଆଦିଲ୍ଲୀ,୨୯।୭- ହକି ଇଣ୍ଡିଆ (ଏଚ୍‌ଆଇ) ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଆବେଦନ ତାରିଖ ଘୁଞ୍ଚାଇବା ପରେ ହରେନ୍ଦ୍ର ସିଂ ଦୌଡ଼ରେ ସାମିଲ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ଜୁନିୟର ଦଳ ୨୦୧୬ ବିଶ୍ୱକପ୍‌ ଜିତିଥିଲା। ଗତ ଡିସେମ୍ବରରେ ବିଶ୍ୱକପ୍‌ରେ ବିଫଳତା ପରେ ସିନିୟର ଭାରତୀୟ ଦଳର କୋଚ୍‌ ପଦରୁ ତାଙ୍କୁ ବିଦା କରାଯାଇଥିଲା। ଏହା ପରେ ତାଙ୍କୁ ପୁନର୍ବାର ଜୁନିୟର ଦଳର କୋଚ୍‌ ଦାୟିତ୍ୱ ଦିଆଯାଇଥିଲା। ହେଲେ ହରେନ୍ଦ୍ର ବିଦେଶୀ କୋଚ୍‌ଙ୍କ ଭଳି ଦରମା, ଲାଭ ଓ ସୁବିଧା ଆଦି ଦାବି କରିଥିଲେ। ଏବେ ମଧ୍ୟ ସେହି ଦାବିରେ ଅଟଳ ଅଛନ୍ତି। ମୁଁ ମୁଖ୍ୟ କୋଚ୍‌ ପଦ ଲାଗି ଆବେଦନ କରିଛି। କିଛି ସର୍ତ୍ତ ରଖିଛି। ସେଥିରେ ୧୦ରୁ ୧୨ ହଜାର ଡଲାର ଦରମା ଦେବା ପାଇଁ ସର୍ତ୍ତ ରଖିଛି ବୋଲି ହରେନ୍ଦ୍ର କହିଛନ୍ତି। କୋଚଙ୍କୁ ଆଗାମୀ ଜୁନିୟର ବିଶ୍ୱକପ୍‌ ୨୦୨୧ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯିବ। କୋଚ୍‌ଙ୍କ କାର୍ଯ୍ୟ ସନ୍ତୋଷଜନକ ରହିଲେ, ତାଙ୍କ କାର୍ଯ୍ୟକାଳରେ ୬ ମାସ ବୃଦ୍ଧି କରାଯିବ ବୋଲି ଏଚ୍‌ଆଇ ଓ୍ବେବସାଇଟ୍‌ରେ ଲିଖିତ ରହିଛି। ପ୍ରଥମେ ଆବେଦନ ଲାଗି ଜୁଲାଇ ୫ ତାରିଖକୁ ଅନ୍ତିମ ଦିବସ ଭାବେ ଧାର୍ଯ୍ୟ କରାଯାଇଥିଲା। ପରେ ୨୫ ଜୁଲାଇ ଓ ଅଗଷ୍ଟ ୧୬କୁ ଘୁଞ୍ଚାଇ ଦିଆଯାଇଥିଲା। ଗତ ମାସ ପର୍ଯ୍ୟନ୍ତ ଜୁଡେ ଫେଲିକ୍ସ ଜୁନିୟର ଦଳ ଦାୟିତ୍ୱରେ ଥିଲେ। ଦଳ ଭଲ ପ୍ରଦର୍ଶନ କରିବାରେ ବିଫଳ ହେବାରୁ ଫେଲିକ୍ସଙ୍କୁ ପଦତ୍ୟାଗ କରିବାକୁ ପଡ଼ିଥିଲା।