Afghanistan's Mohammad Nabi, second left, celebrates with teammates the dismissal of India's K.L. Rahul during the Cricket World Cup match between India and Afghanistan at the Hampshire Bowl in Southampton, England, Saturday, June 22, 2019. (AP Photo/Aijaz Rahi)
ନୂଆଦିଲ୍ଲୀ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟରେ ଆଫଗାନିସ୍ତାନ ଦଳ ଏବେ ନୂଆ ଶକ୍ତି ଭାବେ ଉଭା ହୋଇଛି। ଆଉ ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବଡ଼ ହାତ ରହିଛି। ଆଫଗାନ ଦଳ ଗତ କିଛି ବର୍ଷ ହେଲା ଭାରତକୁ ତା’ର ଘର ଭାବେ ବ୍ୟବହାର କରୁଛି। ଦଳ ତା’ର ପଦାର୍ପଣ ଟେଷ୍ଟ ମଧ୍ୟ ଭାରତୀୟ ଦଳ ବିପକ୍ଷରେ ଖେଳିଥିଲା। କିନ୍ତୁ ଆଫଗାନିସ୍ତାନ ଦଳର ଖେଳାଳିମାନେ ଭାରତୀୟ ଘରୋଇ କ୍ରିକେଟରେ ଖେଳିବା ଲାଗି କରିଥିବା ଅନୁରୋଧକୁ ବିସିସିଆଇ ପ୍ରତ୍ୟାଖ୍ୟାନ କରିଦେଇଛି। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ରେ ଆଫଗାନିସ୍ତାନ ଦ୍ୱିତୀୟ ଥର ଲାଗି କ୍ରିକେଟ ମହାକୁମ୍ଭରେ ଅଂଶଗ୍ରହଣ କରିଥିଲା। ଦଳ ତା’ର ସମସ୍ତ ମ୍ୟାଚ୍ ହାରିଯାଇଥିଲେ ମଧ୍ୟ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ ଭଳି ଦଳକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ବିଶ୍ୱକପ୍ ଶେଷ ହେବା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ତାଙ୍କ ଖେଳାଳିଙ୍କୁ ବିସିସିଆଇ ଦ୍ୱାରା ଆୟୋଜିତ ଘରୋଇ ମ୍ୟାଚ୍, କ୍ୟାମ୍ପ ଓ ଟ୍ରେନିଂ ପ୍ରୋଗ୍ରାମରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିବା ପ୍ରାଶାସକ କମିଟି (ସିଓଏ) ବୈଠକରେ ଘରୋଇ ମ୍ୟାଚ୍ରେ ଖେଳିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। କିନ୍ତୁ ଆଫଗାନିସ୍ତାନ ଖେଳାଳିଙ୍କୁ ବିସିସିଆଇ କ୍ୟାମ୍ପ ଓ ଟ୍ରେନିଂ ପ୍ରୋଗ୍ରାମରେ ସାମିଲ କରାଯିବାକୁ ଅନୁମତି ଦେଇଛି।