Categories: Home Leftଖେଳ

ଭାରତୀୟ କ୍ରିକେଟ୍‌ରେ ଶାହରୁଖ-ସଲମାନ

ନୂଆଦିଲ୍ଲୀ,୧୨।୮- ଶାହରୁଖ ଖାନ୍‌ ଓ ସଲମାନ ଖାନ୍‌ ବଲିଉଡର ଦୁଇ ସପୁରଷ୍ଟାର। କିନ୍ତୁ ଦୁଇ ସୁପରଷ୍ଟାରଙ୍କ ନାମରେ ଦେଶରେ ଘରୋଇ କ୍ରିକେଟରେ ଦୁଇ କ୍ରିକେଟର ଅଛନ୍ତି। ସେମାନେ ଭିନ୍ନ ଭିନ୍ନ ରାଜ୍ୟ ପକ୍ଷରୁ ଖେଳୁଛନ୍ତି। ଏମାନଙ୍କ ସମ୍ପର୍କରେ କିଛି କୌତୂହଳପୂର୍ଣ୍ଣ କଥା ରହିଛି। ୨୦ ବର୍ଷୀୟ ସଲମାନ ଫାରୁଖ ଖାନ ରାଜସ୍ଥାନ ପାଇଁ ଖେଳୁଥିବାବେଳେ ଚେନ୍ନାଇରେ ଜନ୍ମିତ ମାସୁଦ ଶାହରୁଖ ଖାନ (୨୪) ତାମିଲନାଡୁ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଦୁଇ କ୍ରିକେଟରଙ୍କ ସହ ଏକ ସାକ୍ଷାତକାରରେ ସେମାନଙ୍କ ନାମ ପଛର କାହାଣୀ କହିଛନ୍ତି। ମୋ ମାଉସୀ ଶାହରୁଖଙ୍କ ଜଣେ ବଡ଼ ଫ୍ୟାନ। ସେ ମୋ ମା’ଙ୍କୁ ସର୍ବଦା କହୁଥିଲେ, ଯଦି ତୁମର ପୁଅ ହୁଏ ତା’ର ନାମ ଶାହାରୁଖ ରଖିବ। ଏଣୁ ମୋ ନାମ ଏଭଳି ରଖାଯାଇଥିବା ରାଜସ୍ଥାନ କ୍ରିକେଟର ଶାହାରୁଖ କହିଛନ୍ତି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ୧୯ ବର୍ଷରୁ କମ୍‌ ଏସିଆ କପ୍‌ (୨୦୧୬ ଓ ୨୦୧୭)ରେ ସଲମାନ ଖେଳିଥିଲେ। ସେ କହିଛନ୍ତି, ତାଙ୍କ ବାପା ‘ସଲମାନ’ର ଶବ୍ଦ ଅର୍ଥକୁ ବହୁତ ପସନ୍ଦ କରନ୍ତି, ଯାହାର ଅର୍ଥ ସୁରକ୍ଷା। ଏଥିଯୋଗୁ ତାଙ୍କ ନାମ ସଲମାନ ଦେଇଥିଲେ। ଉଭୟ ଶାହରୁଖ ଓ ସଲମାନ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ। ସେମାନେ ଅଫ୍‌ ସ୍ପିନର ମଧ୍ୟ। ୨୦୧୪ରେ ତାମିଲନାଡୁ ଦଳରେ ଶାହରୁଖ ସ୍ଥାନ ପାଇବା ସତ୍ତ୍ୱେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ ପାଇଁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। କେରଳ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୯୨* ଓ ଦ୍ୱିତୀୟ ଇନିଂସରେ ୩୪ ରନ୍‌ କରିଥିଲେ। କିନ୍ତୁ ୨୦ ବର୍ଷୀୟ ସଲମାନଙ୍କୁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିବା ଲାଗି ଅଧିକ ଅପେକ୍ଷା କରିବାକୁ ପଡ଼ି ନ ଥିଲା। ୧୭ ବୟସରେ ସେ ୨୦୧୬ରେ ଓଡ଼ିଶା ବିପକ୍ଷରେ ୧୧୦ ରନ୍‌ ଇନିଂସ ଖେଳିଥିଲେ। ନିକଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ରାହୁଲ ଚହର ମଧ୍ୟ ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ନିଜ ନାମ ସମ୍ପର୍କରେ ସଲମାନ କହିଛନ୍ତି, ମୁଁ ଜଣେ ଯୁବ ଖେଳାଳି। ଜାତୀୟ ଦଳ ପକ୍ଷରୁ ମୁଁ ପ୍ରତିନିଧିତ୍ୱ କରିବା ନେଇ ମୋର ଆତ୍ମବିଶ୍ୱାସ ରହିଛି। ଜଣେ କ୍ରିକେଟର ହିସାବରେ ମୋତେ ଲୋକେ ଜାଣନ୍ତୁ।