Categories: Home Leftଖେଳ

ଭାରତର ଇନିଂସ ବିଜୟ

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ୧୩୦ ରନ୍‌ରେ ଜିତି ନେଇଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମ୍ୟାଚ୍‌ରେ ମାତ୍ର ୩ ଦିନରେ ବିଜୟ ହାସଲ କରିଛି। ଏହି ବିଜୟ ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି। ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ମ୍ୟାଚ୍‌ର ଉଲ୍ଲେଖନୀୟ ଘଟଣା ଥିଲା। ଆସନ୍ତା ୨୨ ତାରିଖରେ ଇଡେନ ଗାର୍ଡେନ୍ସଠାରେ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ଦିବା ରାତ୍ର ଭିତ୍ତିରେ ଖେଳାଯିବ।
ମ୍ୟାଚ୍‌ର ତୃତୀୟ ଦିନ ଭାରତୀୟ ଦଳ ତା’ର ପ୍ରଥମ ଇନିଂସ ସ୍କୋର ୪୯୩/୭ରେ ପାଳି ଘୋଷଣା କରିଥିଲା। ପ୍ରଥମ ଇନିଂସରେ ୧୫୦ ରନ୍‌ କରିଥିବା ବାଂଲାଦେଶ ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ପେସରଙ୍କ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲା। ଫଳରେ ଦଳ ୨୧୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ମୁଶଫିକର ରହିମ ୬୪, ମେହିଦି ହସନ ୩୮ ଓ ଲିଟନ ଦାସ ୩୫ ରନ୍‌ କରିଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ମହମ୍ମଦ ସାମି ସର୍ବାଧିକ ୪ ଉଇକେଟ ନେଇଥିଲେ। ସେହିଭଳି ରବିଚନ୍ଦ୍ରନ ଅଶ୍ୱିନ ୩, ଉମେଶ ଯାଦବ ୨ ଓ ଈଶାନ୍ତ ଶର୍ମା ଗୋଟିଏ କରି ଉଇକେଟ ହାତେଇଛନ୍ତି।