ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର: ଲଞ୍ଚ୍‌ପ୍ୟାଡ୍‌-୬ରେ ଆତଙ୍କବାଦୀଙ୍କୁ ତାଲିମ ଦେଉଛି ପାକିସ୍ତାନ

ଶ୍ରୀନଗର,୧୨।୩: ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବା ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ନିୟନ୍ତ୍ରଣ ରେଖାଠାରୁ କିଛି କିଲୋମିଟର ଦୂରରେ ଜୈଶ୍‌ କମାଣ୍ଡର ଅବୁ ହମ୍‌ଜା ୨୫ରୁ ଅଧିକ ଆତଙ୍କବାଦୀଙ୍କୁ ତାଲିମ ଦେଉଛନ୍ତି। ଏହା ପଛରେ ପାକିସ୍ତାନୀ ସେନାର ସମର୍ଥନ ମଧ୍ୟ ରହିଛି। ରାଜୌରୀ ଜିଲାର ନୌସେରା ସେକ୍ଟରର ଭବାନୀ ପୋଷ୍ଟ ସମ୍ମୁଖରେ ଆତଙ୍କବାଦୀଙ୍କ ତାଲିମ ଜୋର୍‌ ସୋର୍‌ରେ ଜାରି ରହିଛି। ପାକିସ୍ତାନର ୮- ବଲୋଚ ରେଜିମେଣ୍ଟର ପି-୧ ଏବଂ ପି-୨ ପୋଷ୍ଟ ଭାରତୀୟ ଭବାନୀ ପୋଷ୍ଟ ସମ୍ମୁଖରେ ରହିଛି। ପାକିସ୍ତାନର ଲଞ୍ଚିପ୍ୟାଡ୍‌-୬ଠାରେ ଏଭଳି ତାଲିମ ଜାରି ରହିଥିବା ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ତାଲିମ ଶେଷ ହେବା ପରେ ଆତଙ୍କବାଦୀଙ୍କୁ ୬ଟି ଦଳରେ ବିଭକ୍ତ କରାଯାଇ ଭିନ୍ନ ଭିନ୍ନ ଦିଗରୁ ଭାରତରେ ଅନୁପ୍ରବେଶ କରାଯିବା ଲାଗି ଉଦ୍ୟମ ହେବ। ସେମାନଙ୍କୁ ରାଜୌରୀ, ପୁଞ୍ଚ୍‌ ସହିତ ଜମ୍ମୁ ବର୍ଡର ମଧ୍ୟଦେଇ ଭାରତରେ ଅନୁପ୍ରବେଶ କରାଯିବାର ଷଡ଼ଯନ୍ତ୍ର ହୋଇଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଅବୁ ହମ୍‌ଜାଙ୍କ ସହିତ ଯୋଗାଯୋଗରେ ରହିଥିବା ସମିର ଡାରଙ୍କୁ ଇତିମଧ୍ୟରେ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଗିରଫ କରାଯାଇଛି। ହମ୍‌ଜା ସମିରଙ୍କୁ ସ୍ଥାନୀୟ ନାଗରୋଟା ନିକଟରେ ଆଇଇଡ଼ି ଲଗାଇବା ଲାଗି କହିଥିଲେ। ପଚରାଉଚରା ସମୟରେ ସମିର ଏହା ପୋଲିସକୁ କହିଛନ୍ତିି।

Share